Unknown

 

 

 

 

 

 

 

 

 

 

ବିଦ୍ରୋହର ସହସ୍ର ସିପାହୀ

ଶ୍ରୀ ମଙ୍ଗୁଳୁ ଚରଣ ବିଶ୍ୱାଳ

 

ସୂଚୀପତ୍ର

 

୧.

ବିଦ୍ରୋହର ସହସ୍ର ସିପାହୀ

୨.

ସାହସୀ ସିରାଜ

୩.

ସୁରେନ୍ଦ୍ର ସାଏ

୪.

ଚାଖି ଖୁଣ୍ଟିଆ

୫.

ବାହାଦୁର ଶାହ

୬.

ତାନ୍ତିଆ ଟୋପି

୭.

ନାନା ସାହେବ

୮.

ଝାନସି ରାଣୀ ଲକ୍ଷ୍ମୀବାଈ

୯.

ବକ୍ସି ଜଗବନ୍ଧୁ

୧୦.

ଜୟୀ ରାଜଗୁରୁ

୧୧.

ଗୋପବନ୍ଧୁ ଦାଶ

୧୨.

ମଣିନିଧି

୧୩.

ବାଜି ରାଉତ

୧୪.

ଲକ୍ଷ୍ମଣ ନାୟକ

୧୫.

ବାବୁରାଓ

୧୬.

ଉଦ୍ଦାମ ସିଂହ

୧୭.

ଖୁଦିରାମ

୧୮.

ବାଘାଯତିନ

୧୯.

ଲାଲା ଉତ୍ତମଚାନ୍ଦ

୨୦.

ରହମତ୍ ଖାଁ

୨୧.

ନେତାଜୀ ସୁଭାଷ ଚନ୍ଦ୍ର ବୋଷ

୨୨.

ମୋହନ ଦାସ କରମଚାନ୍ଦ ଗାନ୍ଧୀ

୨୩.

ଲୁହାର ମଣିଷ ପଟେଲ

୨୪.

ଜବାହାରଲାଲ ନେହେରୁ

୨୫.

ବାଲ ଗଙ୍ଗାଧର ତିଲକ

୨୬.

ରାସବିହାରୀ ବୋଷ

୨୭.

ରାଜେନ୍ଦ୍ର ପ୍ରସାଦ

୨୮.

ସାବରକର

୨୯.

ଜୀବରାମ ଜୀ କଲ୍ୟାଣୀ

୩୦.

ବିନୋବା ଭାବେ

୩୧.

ଧନଞ୍ଜୟ ଭଞ୍ଜ

୩୨.

ଚକ୍ର ବିଷୋୟୀ

୩୩.

ଗୋଦାବରୀଶ ମିଶ୍ର

୩୪.

ହରେକୃଷ୍ଣ ମହତାବ

୩୫.

କସ୍ତୁରୀ ବାଈ

୩୬.

କମଳା ନେହେରୁ

୩୭.

ବୀଣା ଦାସ

୩୮.

ପ୍ରୀତିଲତା

୩୯.

କୁମାରୀ ବେଲା ଦତ୍ତ

୪୦.

ମାଷ୍ଟର ଦା’ ସୂର୍ଯ୍ୟସେନ

୪୧.

ଲାଲା ଲଜପତ୍ ରାୟ

୪୨.

ଯତିନ ସେନ

୪୩.

ରାଜ ଗୋପାଳାଚାରୀ

୪୪.

ନୀଳକଣ୍ଠ ଦାଶ

୪୫.

ସର୍ବପଲ୍ଲୀ ଗଧାକୃଷ୍ଣନ୍

୪୬.

ଶ୍ରଦ୍ଧାଞ୍ଜଳି

୪୭.

ଯୁଦ୍ଧ

୪୮.

କଂଗ୍ରେସ

୪୯.

ଆଜିର ଆହ୍ଵାନ

୫୦.

ଗୁଡ଼ୁମ ଗୁଡ଼ୁମ ଗର୍ଜ୍ଜି ଉଠୁ

***

 

ପ୍ରାକ୍ କଥନ

 

ଜୀବନୀମୂଳକ ଏଇ ଖଣ୍ଡ କବିତାଗୁଡ଼ିକ ଶିଶୁ ସାହିତ୍ୟର ଅନୁକୂଳ ଓ ରୁଚିସମ୍ମତ ହେବ–ଖୁବ୍ କମ୍ ଆଶା । କାରଣ ସ୍ଥଳ ବିଶେଷରେ ଭାଷାର ଗାମ୍ଭୀର୍ଯ୍ୟ ଓ ଶୈଳୀର କାଠିନ୍ୟ କୋମଳମତି ଶିଶୁଙ୍କ ମନରେ ଦୁର୍ବୋଧ୍ୟତା ସୃଷ୍ଟିକରିବ । ତଥାପି ପରିବେଷିତ ଜୀବନୀଗୁଡ଼ିକ ଆମର ଯେ ଅନୁକରଣୀୟ, ଏ ସତ୍ୟକୁ କେହି ଅସ୍ଵୀକାର କରିପାରିବେନି । ଭାରତ ଉପରେ ଚୀନର ବର୍ବର ଆକ୍ରମଣ ଉପରେ ଲିଖିତ କେତୋଟି କବିତା ମଧ୍ୟ ଏଥିରେ ରହିଛି । ଯେଉଁ ସହୀଦ ଓ ଦେଶ ପ୍ରେମୀଗଣ ଦେଶ, ଜାତି ପାଇଁ ଆପଣାକୁ ନିଶେଷ କରିଦେଇଛନ୍ତି, ସେମାନଙ୍କ ପବିତ୍ର ସ୍ମୃତିକୁ ଉଜ୍ଜୀବିତ କରିବା ହିଁ ଏଇ କ୍ଷୁଦ୍ର କବିତାଗୁଡ଼ିକର ଲକ୍ଷ୍ୟ । ‘ପାଉଁଶ ତଳର ନିଆଁ’ ଭଳି ସେମାନେ ଜଳି ଉଠିଥିଲେ, ଏକ ଶୁଚିମନ୍ତ ଆଲୋକ ଓ ଦୀପ୍ତିମାନ୍ ପ୍ରତିଭା ନେଇ । ଆମର ଶତୃ, ଆମର ମାଟିରୁ ନ ହଟିବା ଯାଏ ଆମର ପାଉଁଶ ବି ନିଆଁ ହୋଇ ଜଳିବ ଏ, ବିଶ୍ଵାସ ଆମର ରହିଛି-

 

ଶ୍ରୀପୁରା

 

ଜାନୁଆରୀ ପହିଲା,

ଶ୍ରୀ ମଙ୍ଗୁଳୁ ଚରଣ ବିଶ୍ଵାଳ, ବି.ଏ.

୧୯୬୩

 

***

 

ମଙ୍ଗୁଳୁଚରଣ ବିଶ୍ୱାଳଙ୍କର ଅନ୍ୟାନ୍ୟ ବହି

 

୧.

ଦରିଆ ପାରିର କବିତା (କବିତା)

୨.

ଦି ଧାର ଲୁହ (ଉପନ୍ୟାସ)

୩.

ଅସ୍ତରାଗର କବି (ଗଳ୍ପ)

୪.

ଅଗ୍ନି ସମ୍ଭବା (ଗଳ୍ପ)

୫.

ବରଫ ଦେଶର କନ୍ୟା (କବିତା)

୬.

ସ୍ମୃତିମଗ୍ନା (ଉପନ୍ୟାସ)

୭.

ଅନନ୍ୟା (କବିତା)

୮.

ରୋମ୍‍ର ରୂପସୀ (ଅନୁବାଦ)

୯.

ସୀମା (କବିତା)

୧୦.

କନ୍ୟାକୁମାରୀ(ଯନ୍ତ୍ରସ୍ଥ) (ଉପନ୍ୟାସ)

***

 

ବିଦ୍ରୋହର ସହସ୍ର ସିପାହୀ

 

ଘେନ ଆମ ନମସ୍କାର

ବିପ୍ଳବର ସହସ୍ର ସିପାହୀ ।

ଜାତିର ଜୀବନ ତୁମେ

ଅନ୍ଧକାରେ ଦୀପ୍ତ ଅଗ୍ନିବାହୀ ॥

 

ଭୀଷ୍ମର ପ୍ରତିଜ୍ଞା ନେଇ

ନକ୍ଷେପିଲ ଯେଉଁ ପଦକ୍ଷେପ ।

ଶତାବ୍ଦୀର ଇତିହାସେ

ଲେଖିଗଲ ଯେଉଁ ଅଗ୍ରଲେଖ !

 

ଫିରଙ୍ଗି ଶାସନ ତଳେ

ଛପି ଛପି ଜାଳିଲ ଯେ ନିଆଁ ।

ଚକିତ ବିସ୍ମିତ ଆଜି

ମୁଗ୍‍ଧ ନେତ୍ରେ ଚାହିଁଛି ଦୁନିଆ ॥

 

ଦଳିତ ଛାତିର ତଳେ

ଥିଲା କେତେ ଦୁର୍ଗମ ସାହସ ।

 

 

ଏଜାତି କି, କରି ପାରେ

ଥାଇ ପୁଣି ନିରନ୍ନ ଦୁର୍ବାସ ॥

 

ତାହାର ଉତ୍ତର ତୁମେ

ଦେଇଗଲ ଯଥାର୍ଥ ଅର୍ଥରେ ।

ବିଦେଶୀ ପାରିଲା ବୁଝି

କୁହ କିଛି ଅଛି ଅନର୍ଥରେ ॥

 

ଯେ ନିଆଁ ଜାଳିଲ ତୁମେ

ଜଳିଗଲ ତାହାରି ତେଜରେ ।

ପାଉଁଶ ପଡ଼ିଲା ତଳେ

ଶୋଇଗଲ ମାଟିର ଶେଯରେ ॥

 

ଶୁଦ୍ଧ ପୂତ ସେ ବିଭୂତି

ବୋଳିଦେଇ ଜନନୀ ଅଙ୍ଗରେ ।

ଭାରତ ଜନନୀ ତମ

ଉଭାହେଲା ନବୀନ ରଙ୍ଗରେ ॥

 

ଜୀବନର ପଦ୍ମ ଫୁଲେ

ଜନନୀର ପୂଜିଲ ଚରଣ ।

 

 

ସେ ପଦ୍ମ ଫୁଲ କି କେବେ

ଅକାଳରେ ଲଭିବ ମରଣ ॥

 

ମରଣ ନାଆଁରେ ଖାଲି

ମରଣକୁ ଦେଲ ଫାସି କାଠ ।

ଅମର ଜୀବନ ପାଇଁ

କରିଗଲ ନୂଆଁ ମନ୍ତ୍ର ପାଠ ॥

 

ସେ ମହାମନ୍ତ୍ରକୁ ଜପି

ଆମେ ସବୁ ଲଭିଛୁ ଜୀବନ ।

ବିଚ୍ଛିନ୍ନ ଜୀବନ ତନ୍ତ୍ରୀ

ଏକସୂତ୍ରେ କରୁଛୁ ସୀବନ ॥

 

ସମୟର ଛାତିପରେ

ସଂଗ୍ରାମର ସୈନିକ ହେ ଶତ ।

ଅଗଣିତ ପ୍ରାଣ ପାତି

ସୃଜିଗଲ ଯେଉଁ ପୁଣ୍ୟପଥ ॥

 

ସେ ପୁଣ୍ୟ ପଥରେ ଚାଲି

ପାଇଅଛୁଁ ଜୀବନର ଜ୍ୟୋତି ।

ଏ ଜାତିର କଣ୍ଠେ ତୁମେ

ହୁଅ ସବୁ ଜଗତର ମୋତି ॥

 

କିଏ କାହିଁ ପଡ଼ିଗଲ

ସଢ଼ିଗଲ ପାହାଡ଼ି ନଇରେ ।

ପାଉଁଶ ପାଲଟି ଗଲ

ପୋଡ଼ି ପୋଡ଼ି ମୋ ଜଳନ୍ତା ଜୁଇରେ ॥

 

ଜାଣିତ ପାରିଲୁ ନାହିଁ,

କିଏ ତୁମ ବନ୍ଧୁ ପରିଜନ ।

କିଏ ଅବା ପ୍ରିୟ ସଖା

ବିପଦରେ ବିଶ୍ୱାସ ଭାଜନ ॥

 

ନାଆଁ ନାହିଁ ଗାଆଁ ନାହିଁ

ଅଜଣାରେ ରହିଗଲ କାହିଁ ।

ଖୋଜି ଖୋଜି ତମ ସ୍ମୃତି

ଆମେ ଆଜି ପାଇଲୁତ ନାହିଁ ॥

 

କାଳର କରାଳ ମୁହେଁ

ଅଦେଖାରେ ଗଲ କାହିଁ ହଜି ।

 

 

ପତ୍ତାତ ପାଇଲୁ ନାହିଁ

ମଉନରେ ସତ୍ତାଗଲା ମଜି ॥

 

ଇତିହାସ ଲେଖିନାହଁ

ସ୍ଥାନ ନାହିଁ ପୁରାଣ ପତରେ ।

ତମକଥା ରହିଗଲା

ଅଧା ମିଛ ଅର୍ଦ୍ଧେକ ସତରେ ॥

 

ଧମକ ଚମକ ଖାଇ

ଦଳାଦଳି ଦେଶ ଧର୍ଷଣରେ ।

ତେଜିଲେ ଜୀବନ ସତେ

ଗୋଳାଗୋଳି ବୋମା ବର୍ଷଣରେ ॥

 

ଉଦ୍‍ବୁଦ୍ଧ ଛାତିରେ ତମ

ବୁଦ୍ଧ ରଖି ନଥିଲା ବାରତା ? ।

ଥାଆନ୍ତା ବା କାହୁଁ କହ ?

ଅବରୁଦ୍ଧ ଥିଲା ବୀର ମଥା ॥

 

ପୀଡ଼ିତର ପ୍ରାଣ କି କେବେ

ବୁଝିପାରେ ଶାନ୍ତିର ସଂକେତ ।

ଅସାଧୁ ସିପାହୀ ବୋଲି

ହେଲା ଯେବେ ଜାତ ନାମାଙ୍କିତ ॥

 

ଅସାଧୁକି ହୋଇପାର ?

ସାଧନାର ସିଦ୍ଧି ଫଳପାଇ ।

ଅସାଧ୍ୟ ଦୁର୍ଗମ ବୋଲି

ହେଲ ତୁମେ ଅସାଧୁ ସିପାହୀ ॥

 

ଅନ୍ଧର ଆଖିରେ ସିନା

ଏ ଦୁନିଆଁ ଦିଶେ ଅନ୍ଧକାର ।

ଆଖି ବୁଜି ଦେଖିବାଟା

ବିଦେଶୀର ଆଖିର ବିକାର ॥

 

ଦିନପରେ ଦିନ ବିତି

ବିତିଲାଣି ବର୍ଷ ଶତ ଶତ ।

ପୁଣିତ ବିତିବ ଏଇ

ସମୟର ସୋତ ଅବିରତ ॥

 

ସ୍ମୃତିର ସଙ୍ଖାଳି ତୁମେ

ବିସ୍ମୃତିର ହଜାଗଣ୍ଠି ଧନ ।

 

 

ଏ ମାଆ ମାଟିର କୋଳେ

ତୁମେ ସବୁ ଅମର ସନ୍ତାନ ॥

 

କିସବା ଗାଇବୁ ଆମେ

ତୁମର ସେ ମହିମ୍ନ ମହିମା ।

ଇତିହାସ ପାରିଲାନି

ଛୁଇଁ ଯାର ସାହସର ସୀମା ॥

 

ବହୁବର୍ଷ ପରେ ଘେନ

ଶ୍ରଦ୍ଧା ପୂର୍ଣ୍ଣ ନମ୍ର ନମସ୍କାର ।

ତମରି ପବିତ୍ର ସ୍ମୃତି

ଉଜ୍ଜୀବିତ ହେଉ ବାରବାର ॥

***

 

ସାହସୀ ସିରାଜ

 

ନ ଝରାଅ ଲୁହ ଲୁତଫା ରାଣୀ ଗୋ

ସିରାଜ ଫେରିଲେ ନାହିଁ ।

କେତେ କାଳ ଧରି ମଉନେ ମଉନେ

ବସିଥିବ ପଥ ଚାହିଁ ?

 

ତୁମେ କହିଥିଲ ପରାଣ ପ୍ରିୟକୁ,

ଜୀବ ଗଲେ ପଛେ ଯାଉ ।

ଦେଶ ଜାତି ପାଇଁ ଲଢ଼େଇ କରିବ

ନଫେରି ପଛକୁ ଆଉ ॥

 

ନ ଫେରିଲେ ସତେ ତୁମରି କଥାଟି:

ରଖିବାକୁ ଆଗୋ ରାଣୀ ।

ନବାବକୁ ତମ କିସ ହେଲା ବୋଲି

ପାରିଲନି ତୁମେ ଜାଣି ॥

 

ନବାବୀ ରକତ ଜବାବ ମାଗିଲା

ବଣିକ ଜାତିର ପାଶେ ।

 

 

କିପରି ସହିବ ପରଦେଶୀ ଯଦି

ପଶିବ ଆପଣା ବାସେ ॥

 

ତରୁଣ ମନତା’ ବୁଝି ପାରିଲାନି

ବଣିକ ଜାତିର ଛଳ ।

ଅଜାଣତେ ତା’ର ଲୁଟି ନେଇଗଲା

ସେନାପତି ସେନାବଳ ॥

 

ମିରଜା-ଫରର ବିଷଦିଆ କଥା

ପାରିଲାନି ସିଏ ବୁଝି ।

ଅଗଣିତ ସେନା ସେନାପତି ଥାଇ

ପାରିଲାନି ସିଏ ଯୁଝି ।।

 

ପଲାସୀ ଛାତିରେ ଏ ଦେଶ ମାଟିର

ଇତିହାସ ଅଛି ଲେଖା ।

ଆଜିବି ସେଇଠି ଉକୁଟି ଉଠିବା

ନବାବୀ ରକତ ରେଖା ॥

 

ଶତ ପଲାଶର ନିଆଁ ତେଜ ମାଖି

ପଲାସୀତ ହସୁ ନାହଁ ।

 

 

ନିର୍ଲଜ୍ଜ ତାହାର ଛାତିରେ ଆଉ ସେ

ପୁରୁବ ସାହସ କାହିଁ ? ॥

 

ପଲାସୀ ଶୋଇଛି ମଶାଣି ପଦାରେ

ମିରିଜା ମାରୁଛି ହାଇ ।

ସିରାଜ ଡାକୁଛି “ଶୁଣ ଦେଶବାସୀ

ଭାଇକୁ ଠକିଛି ଭାଇ” ॥

 

ପଚାରୁଛି ଆଜି କହିବୁ ନାହିଁ କି

ପିଚାଶୁଣୀ ତୁ ପଲାଶୀ ।

ଦେଶ ଇତିହାସେ ଶିରି ହୀନା ତୁହିଁ

ମାନହୀନା ମଦାଳସୀ ॥

 

କିସ ବା ପାଇଲୁ ନବାବ ସିରାଜ

ଛାତିରେ ପୁରାଇ ଛୁରି ।

କି ଆଶା ପୁରିଲା ଖେଳିଗଲୁ ଯେ ଲୋ

ତୋ ଭାଇ ରକତେ ହୁରି ॥

 

ସେ ରକତ ବାଜି ତୋ ଛାତି କିପାଇଁ

ପଡ଼ିଲାବି ବେଗେ ଫାଟି ।

ଏ ଭାରତ ମାଟି ତା’ ଦେହରୁ କିଆଁ

ତୋ ଦେହ ନଦେଲା କାଟି ?

 

ଅଠର ବରଷେ ଯୁବକ ସିରାଜ

ଦେଶ ପାଇଁ ଗଲା ମରି ।

ତା’ ଛାତିରେ ଅସୀମ ସାହସ

ଅସୀମ ବେଦନା ଭରି ॥

 

ବେପାରୀ ଜାତିର କୂଟ ଓ କପଟ

ତାହାକୁତ ଜଣା ନାହିଁ ।

ଯୁବ ସୁଲଭତା ଉତଲା ହିଆରେ

ଭାବିବା ପାରିବ କାହିଁ ?

 

ସତରଶ ସତାବନ ଗଲାସିନା

ଅତୀତ ତଳରେ ମିଶି ।

ସିରାଜର ନାଆଁ ସେ ଇତିହାସରେ

ଲେଖାହୁଏ ଦିବା ନିଶି ॥

 

ଦେଶ ଜାତି ପାଇଁ ତା’ ହିଆ ତଳରେ

ଥିଲା ସାହସର ନିଆଁ ।

 

 

ସେ ନିଆଁରେ ପୋଡ଼ି ପାଉଁଶ ହୋଇଛି

ଆମେ ବି ନହେବା କିଆଁ ?

 

ତୋଫା ଜହ୍ନ ଭଳି ଲୁତଫାରାଣୀର

ମରମ ବୁଝିବ କିଏ ।

ଉଛୁଳା ପରାଣେ ବିଦାୟ ଦେଇଛି

ପରାଣ ପ୍ରିୟକୁ ଯିଏ ?

***

 

ସୁରେନ୍ଦ୍ର ସାଏ

 

ତୁଚ୍ଛ ସେଇ ଇନ୍ଦ୍ରପଦ

ଶଚୀ ପତି ହେବାର ବାସନା ।

କୋଟି ଶଚୀ କୋଟି ଇନ୍ଦ୍ର

ପଦେ ଯା’ର କରେ ଆରାଧନା ॥

 

ସେ ସୁରେନ୍ଦ୍ର ନୁହେଁ ଇନ୍ଦ୍ର

କଲ୍ପନାର ଅମରାବତୀର ।

ମାତ୍ର ସିଏ ପ୍ରାଣ କେନ୍ଦ୍ର

କୋଟି କୋଟି ଦେଶ ଓ ଜାତିର ॥

 

ନୁହେଁସେ ବେତାର ଶିଳ୍ପୀ–

ନୁହେଁ ଅବା ପୁରାଣର କବି ।

ତା’ କଣ୍ଠୁ ସ୍ଫୁରିଲା କିନ୍ତୁ

ଅଗ୍ନିବାହୀ, ଅଶାନ୍ତ ପୂରବୀ ॥

 

ନିରକ୍ଷର ମଥା କିନ୍ତୁ

ରଖିଥିଲା ଶାଶ୍ଵତ ସ୍ଵାକ୍ଷର ।

 

 

ବେତାର କେନ୍ଦ୍ରର ତା’ରେ

ଧ୍ୱନି ଉଠେ ତା’ ବଜ୍ର ବକ୍ଷର ॥

 

ସମୁନ୍ନତ ମଥା ତା’ର

ନଇଁଗଲା ଏଦେଶ ମାଟିରେ ।

ବଣିକ ଶାସକ ହାତେ

ମାଡ଼ ଖାଇ ଗୁଳି ଓ ଲାଠିରେ ॥

 

ମଥାକି ନଇଁଲା ସତେ

କୋଟି ମଥା ଯା ଚରଣ ତୁମେ ।

ଶାସକର ବହୁ ଉର୍ଦ୍ଧ୍ୱେ

ଶାସିତ ସେ ଏ ଭାରତ ଭୁମେ ॥

 

ଏ ଦେଶକି ଭୁଲିପାରେ

ଭୁଲିପାରେ ବୁଢ଼ାରଜା କଣ ? ।

ଆଜିବି ବାହୁନି କାନ୍ଦେ

ଇବତଟୁ ଶୁଭଇ କ୍ରନ୍ଦନ ॥

 

କୁଦୋପାଲି ବାଲିକୁଦେ

ଆଜିବିତ ଥିବ ଅଶ୍ୱପାଦ ।

 

 

କୃଷକ କୁମାରୀ ଦେଖି

ଗଣୁଥିବ ସହସା ପ୍ରମାଦ ॥

 

ଦୁକୁଳିତର ଗ୍ରାମ୍ୟ ନାରୀ

ଗ୍ରାମ ପ୍ରାନ୍ତେ ମୁକୁଳିତର କେଶେ ।

ଆଜିବି କହନ୍ତି ବସି

ସୁରବୀର କଲାଯା’ଏ ଦେଶେ ॥

 

ରସିଆ ପାଲିର ଲୋକେ

ସୁରସଙ୍ଗେ ଯାଇଥିଲେ ରଣ ।

ଆଜିବି ଗୁମୁରି ଉଠେ

ତରବାରି କରେ ଝଣ ଝଣ ॥

 

ପାହାଡ଼ୀ ସଇନ ନେଇ

ଥରାଇଲା ଶସକର ଛାତି ।

ଆଜିଯାଏ ଭୁଲିନାଇଁ

ସେ କମ୍ପନ ଲୁଟିଖିଆ ଜାତି ॥

 

ସୁଦୃଢ଼ କାରାର କାନ୍ଥ

ଆଜିବିତ ଥିବ ଭଗ୍ନ ପ୍ରାଏ ।

ଅତିକ୍ରମି ଆସିଥିଲ

ଘର ସହ ହେ ସୁରେନ୍ଦ୍ର ସାଏ ॥

 

ଜୁଲାଇ ତିରିଶ ଦିନ-

କାଳ ସ୍ରୋତେ ଗଲାସିନା ମିଶି ।

ସେ ଦିନର ପୂଣ୍ୟ ସ୍ମୃତି

ଉଜସ୍ଵଳ ଥିବ ଦିବାନିଶି ॥

 

ଦୀର୍ଘଦିନ ପଡ଼ିଥିଲ

କାରାଗାରେ ହଜାରି ବାଗର ।

କଲ୍ଲୋଳିତ ହେଉଥିଲା

ଜାତିପାଇଁ ଦୃଦୟ ସାଗର ॥

 

ନର ହୋଇ “ନାରାୟଣ”

କଲା ଯେଣୁ ନରକର ନାଟ ।

“ଦୁର୍ଯ୍ୟୋଧନ” ଅବରୁଦ୍ଧ

କଲା ତୁମ ମୁକତିର ବାଟ ॥

 

ପରର ଗୁଲାମ ସାଜି

ସେମାନେ କି ରହିଲେ ଅମର ?

 

 

ଦେଶର ବିରୁଦ୍ଧେ ଲଢ଼ି

ଆନପାଇଁ ରଚିଲେ ସମର ॥

 

ଲୀ, ପାଷ୍ଟର, ତୁମେ ସବୁ

ଶତ୍ରୁ ପକ୍ଷ ସେନାପତି ଦଳ ।

ହାଣିକି ପାରିଲ ତୁମେ

ଏଜାତିକୁ କରି ପଳ ପଳ ? ॥

 

ସୁରେନ୍ଦ୍ର ମରିଚି ସତ

ମରିଚିକି ତା’ ଉଦୀନ୍ତ ଭାଇ ।

ତା’ ଅମର ଆତ୍ମା କିନ୍ତୁ

ମୁକ୍ତି ମନ୍ତ୍ର ଆଜି ଉଠେ ଗାଇ ॥

 

ବିସ୍ମୃତିର ମୋହ ନେଇ

ସ୍ଵାଗତ ତ କରୁ ଅନାଗତେ ।

ସେ ସ୍ମୃତିରେ ଥାଅ ତୁମେ

ହେ ସୁରେନ୍ଦ୍ର, ଆମରି ଭାରତେ ॥

***

 

ଚାଖି ଖୁଣ୍ଟିଆ

 

ଘରର ଘରଣୀ ମଥାରୁ ତାହାର

ଲେପି ସୁଧ ବାର ଟୀକା, ।

ରୂପା ଜହ୍ନ ଭଳି ଉଦିଆ ମୁହଁକୁ

ବରଷେ କରିଚି ଫିକା ! ॥

 

କାଚ ଲାଖି ପିଟି ଚଉରା ମୂଳରେ

ନିତି ଜାଳେ ସଂଜବତୀ ।

ନିଆଁ ଲଗା ପଥେ ପରାଣ

ଦେଲେକି ନଆସି ପରାଣ ପତି ॥

 

ଲୁହ ନଗିଡ଼ାଇ ଶୁଖିଚି ନୟନ

ଆଉ ଲୁହ ଅଛି କାହିଁ ? ।

ଦୂରଦେଶ ଗଲେ ନଫେରିବା

ପାଇଁ ସତେକି ପରାଣ ସାଇଁ ?

 

ପୁଣିତ ଚାଖିଆ ଲେଉଟିଲା ବୋଲି

ଦେଶରେ ପଡ଼ିଲା ହୁରି ।

 

 

ଚହଟି ଗଲାତା ଶୁଭ ସମାଚାର

ଘର ଘାଟ ଗଲା ପୁରି ॥

 

ସାହେବ ଡଗରା ଦଉଡ଼ି ଆସିଲା

କହିଲା ଚାଖିଆ କାହିଁ ?

ସାହେବ ହୁକୁମ, ବଡ଼ ସାହେବକୁ

ଭେଟ ଦରବାରେ ଯାଇ ॥

 

ଚାଖିଆ ଚଳିଲେ ସାହେବ ଛାମୁକୁ

ଛାତିରେ ସାହସ ଭରି ।

କହିବାର ଯାହା କହିଲେହେ ତାକୁ

ତିଳେ ମାତର ନଡ଼ରି ॥

 

“ସିପାହୀ ସମରେ ଯାଇଥିଲ କିଆଁ

ପୂଜା ବିଧି ତମ ଛାଡ଼ି ?

ଯୁଗ ଯୁଗ ଧରି କେତେବା ସହିବୁ

ପିଠିରେ ପଡ଼ିଲେ ବାଡ଼ି ? ॥

 

ସାହେବ ମୁହଁରୁ ନସରୁଣୁ

କଥା ଚାଖିଆ କହିଲେ ଆଗେ ।

 

 

ସାହେବ ନିରେଖି ଚାଖିଆ

ସାହସ ବଖାଣିଲେ ଅନୁରାଗେ ॥

 

“ଆଉ କେବେ ତୁମେ ନକର ଏପରି

ରହିଥାଅ ନିଜ ପୁରେ ।

ସରକାର ହାତେ ଅଟକି ରହିଲ

ନିଶି ଆଉ ଦିବସରେ ॥

 

ସାହେବ ପାଖରୁ ଲେଉଟି ଚାଖିଆ

ପୁରୀରେ ରହିଲେ ସତ ।

ହଜିଲା ଦିନର ପୁରୁଣା କାହାଣୀ

ଜାଗେ ମନେ ଅବିରତ ॥

 

ଗୁରୁଜୀ ଆସିବେ ବୋଲି ଆଉ ଚିଠି

ଲେଖୁ ନିତି ମନୁ ବାଇ ।

ଗୋରା ସରକାର ଯତନ କରୁଚି

ରାଇଜ ନେବା ପାଇଁ ?

 

ଲଢ଼େଇର ନିଆଁ ହୁତୁ ହୁତୁ ଜଳେ

ନୟନର ଆଗେ ଆଗେ ।

କେତେ ମଲା ସ୍ମୁତି ଜୀବନ ପାଇଁଲୋ

ଆଖିର ଉହାଡ଼େ ଜାଗେ ॥

 

ସବୁ ଜଳି ପୋଡ଼ି ଅବଶେଷ ହେଲା

ମାଟି ମିଶା ସେଇ ଖାର ।

ହିଆ ତଳେ ତଳେ ଟାଣି ହୋଇଗଲା

ମନରଖା କେତେ ଗାର ॥

 

ଓଡ଼ିଆ ଦେଶର ବୀର ପୁଅ ସିଏ

ଚକାଡ଼ୋଳା ସେବାକାରୀ ।

ଜଗତ ନାଥର ଆଶିଷ ନେଇ ସେ

ଦେଶ ପାଇଁ ହେଲା ଘାରି ॥

 

ତା’ ରକତ ତଳେ ଖେଳି

ଉଠୁଥିଲା କୋଟି ଜୀବନର ସୁଅ ।

ଜାତିର ଯାତନା ବାଧୁଥିଲା ତାକୁ

ଝରୁଥିଲା ଆଖି ଲୁହ ॥

 

ସେ ଚାଖିତ ଆଜି ପାଉଁଶ ହୋଇବ

ନିଭିଛି ଲଢ଼େଇ ଜୁଇ ।

 

 

ସେ ପାଉଁଶ ଲଭି ମୁକତ ସଭିଏ

ମୁକତ ଭାରତ ଭୂଇଁ ॥

 

ଓଡ଼ିଶା ଦେଶରେ ଯେତେ ନର ନାରୀ

ଛୋଟ ଛୋଟ ଯେତେ ଶିଶୁ ।

ତାହାର ଚରଣେ ମଥା ନଇଁ

କହ ଦେଶ ପାଇଁ ଦେହ ମିଶୁ ॥

***

 

ବାହାଦୁର ଶାହ

 

ବ୍ରହ୍ମ ଦେଶର ବନ୍ଦୀ ଶାଳାରେ

ବାହାଦୁର ଶାହ ରହିଗଲ ।

ଦେଶ ବୁଝିଲାନି ଆଜିଯାଏ ତୁମେ

ଯେଉଁ କଥାସବୁ କହିଗଲ ॥

 

ମୁକତି-ପାଗଳ ସିପାହୀ ସକଳ

ଦେଶ ଆଗେ ଯାହା ଗଲେ ଗାଇ ।

ଶୁଣିଲତ ସବୁ, ଦେଖିଲତ ସବୁ

ରାଜ ଦରବାରେ ବସିଥାଇ ॥

 

ରାଜଗାଦି ପରେ ବସାଇ ତମକୁ

ଖସାଇ ଦେଲେକି ଭୂଇଁପରେ ।

ଜାଳିଗଲେ ଯେଉଁ ମୁକତିର ନିଆଁ

ଲାଗିଗଲା କିବା ତୁମ ଘରେ ॥

 

ବୁଢ଼ା ବୟସରେ ଶିଥିଳ ରକତ

ସତେ କିବା ତୁମ ଗଲା ତାତି ।

 

 

ଦେଶଟା ପାଇଁକି ମତାଇ ଦେଶକୁ

ମୁକତି ସମରେ ଗଲ ମାତି ॥

 

ସମରାଟ ହୋଇ ଶାସନ କରିବା

ବୟସ କି ତମ ଥିଲା ବାକି ।

ବଣିକ ବେପାରୀ ଜାତିଟାର ସହ

ଲଢ଼େଇ କରିଲ ନିଆଁ ମାଖି ॥

 

କି ପାଇଲ କହ ଧନ ଦଉଲତ

କି ପାଇଲ କହ ସନମାନ ।

ତନୁକୁ ଝସାଇ ଜଳିଲା ଜୁଇରେ

ମିଳିଲାକି ତମ ଭଗବାନ ? ॥

 

ସାର ହେଲା ଖାଲି ଆଖିରେ ଦେଖିବା

ପୁଅ ଦୁଇଟାର ଶିରକଟା ।

କାରାର କଷଣ ସହି ସହି ଖାଲି

ସାର ହେଲା ସବୁ ହଟହଟା ॥

 

ବିଦେଶ ମାଟିରେ ପଚି ସଢ଼ି ତମ

ମାଟିରେ ମିଶିଲା ମେରୁହାଡ଼ ।

 

 

ସେ ହାଡ଼ରେ ଆମେ ଘେରିଦେଲୁ ଆଜି

ମୁକତିର ଏକ ଘେରା ବାଡ଼ ॥

 

ଶେଷ ଦୀପ ତୁମେ ମୋଗଲ କୁଳର

ଶେଷ ସମରାଟ ଭାରତର ।

ଆଲୋକାଇ ଦେଲେ ଆଲୋକ ଟିକଟ

ତମସାରେ ମିଶି ତରତର ॥

 

ବାବର ବାହୁନି ଉଠିବେ ଉପରେ

କୁଳ ଗଉରବ ବୁଡ଼ିଗଲା ।

କାବୁଲ ମାଟିରୁ ବୋହି ଆଣିଥିବା

ଶେଷ ସଉରଭ ଉଡ଼ିଗଲା ॥

 

ଦେଶ ଆଜି କହେ ବାହାଦୁର ଶାହ

ଦେଶର ତୁମେତ ବାହାଦୁର ।

ଏ ଜାତିର ପାଇଁ ଜୀବନ ଜାଳିଲା

ବଣିକ ବେପାର କରି ଦୂର ॥

 

ଏ ଜାତି ତମକୁ ଭୁଲିବନି କେବେ

ଭୁଲିବନି ଏଇ ଦେଶ ମାଟି ।

ଶୁଣୁଛକି ବସି ତମର ପୁରରୁ

ଦେଶ ମାଆ ଡାକେ କରିପାଟି ॥

 

ବର୍ମାର ବଣ, ରେଙ୍ଗୁ ନ ମାଟି

ଶୁଣିଥିବ ତମ ଶେଷ କଥା ।

କହିଗଲ ଯାହା, “ମରିଯିବୁ ପଛେ

ନଇଁବନି କେବେ ବୀର ମଥା” ॥

 

ସତକୁ ସତତ ମରିଗଲ ତମେ

ବଣିକ ଜାତିକୁ ଡରି ନାଇଁ ।

ଗୁଳି କମାଣର ଭୀମରଡ଼ି ଶୁଣି

ଛାତିତ ତମର ଥରି ନାଇଁ ॥

 

ଏ ଜାତିର ତୁମେ ପୂଜ୍ୟ ପୁରୁଷ

ଦେଶ ଜନନୀର ବୀର ପୁଅ ।

ତତାଇ ଦେଇଛ ମତାଇ ଦେଇଛ

ଛୁଟାଇ ଦେଶରେ ନିଆଁ ସୁଅ ॥

***

 

ତାନ୍ତିଆ ଟୋପି

 

ତୁମରି ସପନ ଭାଜିଗଲା କିବା

ରାଜ ପୁତନାର ମରୁଭୂଇଁ ।

 

ଗୋରା ସରକାର ତୁମରି ମଥାରେ

କାଉଁରୀ କାଠିକି ଦେଲା ଛୁଇଁ ॥

 

ତାନ୍ତିଆ ଟୋପି ତିନ୍ତି ଗଲକି

କାନପୁର ରଣ ପଡ଼ିଆରେ ।

 

ତୁମରି ଫେରିବା ନା ନା ସାହେବର

ଆସିଲାନି କଥା ବୁଝିବାରେ ॥

 

ନା ନା ସାହେବର ବାନା ବୁଡ଼ିଗଲା

ତୁମେତ କୁଆଡ଼େ ଗଲଚାଲି ।

 

ତୁମରି ମନର ବାସନା ହଜିଲା

ରାଜ ପୁତନାର ମରୁବାଲି ॥

 

 

 

ଲକ୍ଷ୍ମୀ ବାଇର ଭାଇପରି ଗଲ

ସମର ଭୂଇଁକି ଛାତି ଡେରି ।

 

ଗୋରା ସିପାହୀର କବଳୁ ତୁମର

ସଇନ କି ଆଉ ଗଲେ ଫେରି ॥

 

ତୁମରି ଚାକର ପଇସା ଲୋଭରେ

ବଇରିକୁ ତମ ଦେଲା କହି ।

 

ବଇରି କବଳେ କଅଣ ପାଇଲ

ବହୁଦିନ ତମେ ପଡ଼ିରହି ॥

 

ଅଠଶ’ ଅଣଷାଠିଏ ସାଲର

ଅପରେଲ ମାସ ଥିବମନେ ।

 

ଗୋରା ସାହେବର ହୁକୁମେ କିପରି

ଜୀବନ ତେଜିଲ ଘୋର ବନେ ॥

 

ଦେଶପାଇଁ ଲଢ଼ି ଦୋଷୀ ହେଲ ତୁମେ

ବେକରେ ପଡ଼ିଲା ଫାଶି କାଠ ।

 

ଜୀବଥିବା ଯାଏ ଗାଇଗଲ ତୁମେ

ଜାତି ଜନନୀର ଜୟ ପାଠ ॥

 

ଦେଶ ମୁକତିର ପହିଲି ସକାଳେ

ଆଲୁଅ ଦେଲେଯେ ନୂଆକରି ।

 

ସେ ଆଲୁଅ ପାଇ ପାଇଗଲା ଆମ

ପରାଧୀନତାର ବିଭାବରି ॥

 

ମରଣର ତୁମେ ଗରଳ ପିଇଲ

ଅମୃତ ଆମେଦେଲୁ ଚାଖି ।

 

ନିଆଁର ଆଲୁଅ ଆମେତ ପାଇଲୁ

ଜଳିଗଲ ତୁମେ ନିଆଁ ମାଖି ॥

 

ଅଗ୍ନି ବାଣୀରେ ଗାଇଗଲ ତୁମେ

ମରିଗଲ ହସି ଚିରଦିନ ।

 

ତୁମରି ଆଶିଷ ପାଇ ଆମେ ହେଲୁ

ସୁଆଧୀନ ଖାଲି ସୁଆଧୀନ ॥

 

ଆମରି ଭିତରେ ଛୁଟାଇଛି ତୁମେ

ସାହସର ଏକ ନୂଆ ସୁଅ ।

 

ଏ ଜାତିର ତୁମେ ମନରଖା ସଖା

ଦେଶ ଜନନୀର ସୁନା ପୁଅ ॥

***

 

ନାନା ସାହେବ

 

ନେପାଲୀ ବଧୂର ସିନିହ ମଧୁର

ରାଇଜରେ ତୁମେ ବୁଲି ।

 

ବୁଜିଲା ଦିନର ଯାତନା କି ସତେ

ଯାଉଛି ମନରୁ ଭୁଲି ॥

 

ତରାଇ ବନର ପାତଳ ଛାଇରେ

ହାଇକି ମାରୁଛ ବସି ।

 

ହିମରାଜ ହିମାଳୟର କି ଅବା

ଦେଖୁଛ ସୁଷମା ରାଶି ॥

 

ନେପାଲ ରାଇଜେ ଲୁଚିଲ କି ଡରେ

ଭୀରୁ ସମ ଛପି ରହି ।

 

ତାନ୍ତିଆ ଟୋପି ତିନ୍ତିଲା ଲୁହେ

ତୁମ କଥା କହି କହି ॥

 

 

 

ପେଶବା କୂଳର ମଥାମଣି ତୁମେ

ନିଆଁର ଉଚ୍ଛୁଳା ସୁଅ ।

 

ବାଜିରାଓ କଲା ବିଶ୍ଵାସ ରଖି

ତମକୁ ଧରମ ପୁଅ ॥

 

କାନପୁରେ ଥିବା ସିପାହୀ ସକଳ

ତୁମ ଆଦେଶକୁ ଟାକି ।

 

ଜୀବନେ ନମାରି ରଖିଦେଲେ ଖାଲି

ଗୋରା କେଇ ଜଣ ବାକି ? ॥

 

ଭାଜିଗଲା ତୁମ ସପନ କି ସତେ

ଉଡ଼ିଗଲା ଯେତେ ଆଶା ।

 

ନୟନରୁ ଲୁହେ ଧୋଇ ହେଲା କିବା

ଅଗ୍ନି, ପଖଳା ଭାଷା ॥

 

ଜାଳିଥିଲ ଯେଉଁ ମୁକତିର ନିଆଁ

ନିଭିଗଲା ପାଣି ପାଇ ।

 

ଦେଖାଇଲା ଯେଉଁ ଆଲୋକର ପଥ,

ଅନ୍ଧାର ଗଲା ଛାଇ ॥

 

ଗୋରା ସରକାର ଭାବିଲେ ମନରେ

ନିଆଁଟାତ ଗଲା ନିଭି ।

 

ସେ ପାଉଁଶ ତଳେ, ନିଆଁ ଅଛି ବୋଲି

ପାରିଲାନି ଅନୁଭବି ? ॥

 

ପାଉଁଶ ତଳର ନିଆଁ ପୁଣି ଯେବେ

ଆଉଥରେ ଗଲା ଜଳି ।

 

ଗୋରା ସରକାର ସେ ନିଆଁର ତେଜ

ପାରିଲାନି ଆଉ କଳି ॥

 

ମୁକତିର ସେନା ହେ ନାନା ସାହେବ

ତୁମକୁ ଭୁଲିନି ଦେଶ ।

 

ତୁମରି ଆଶିଷେ ଆମରି ଦେଶର

ଏଇ ସୁଆଧୀନ ବେଶ !

***

 

ଝାନ୍‍ସୀ ରାଣୀ ଲକ୍ଷ୍ମୀ ବାଇ

 

ଅଧିକ ଅଧିକ ରାଇଜ ନେବାରେ

ବଣିକି ଶାସକ ଗଢ଼ିଲା ନିତି ।

 

ରାଇଜ ଭିତରେ ଚହଳ ପଡ଼ିଲା

ସବୁରି ମନରେ ପଶିଲା ଭୀତି ॥

 

ଯା’ ଧନ ଦରବ ଭୋଗିବାକୁ କେହି

ଥିବେ ନାଇଁ ଯଦି ଆପଣା ପୁଅ ।

 

ମାଇକିନା କେହି ଶାସକ ହେବନି

ଆଖିରୁ ଝରାଇ ଉଷୁମ ଲୁହ ॥

 

ସେ ରାଇଜ ଧନ ଗୋରା ସରକାର

ଅଧିକାର କରି ଆପଣା କରେ ।

 

ଶାସନ କରିବେ ପରଜା ସକଳ

ରାଜପଣ କରି ଆମରି ଘରେ ॥

 

 

 

ମନୁବାଇ ବସି ମଉନେ ମଉନେ

ଭାଜିଲା ମନକୁ ଯୋଡ଼ୁଛି କାହିଁ ।

 

ଆଖିର ଆଗରେ ସବୁତ ଯାଇଛି

ପୁରୁବ ସପନ ନାହିଁରେ ନାହିଁ ॥

 

ହାତରୁ ଯାଇଛି ସଧବାର କାଚ

ନୟନୁ ଯାଇଛି କଜଳ ଗାର ।

 

ମରମର ମଣି ମରମୁ ହଜିଛି

ଲୁହ ଗଡ଼ାଇବା ହୋଇଛି ସାର ॥

 

ଯିଏ ଥିଲେ ସବୁ ଗଲେ କାହିଁ ଚାଲି

ଖାଲି କରିଦେଇ ପରାଣ ପୁର ।

 

ଲୁଟିଖିଆ ସେଇ ବଣିକ ବେପାରୀ

ରାଇଜ ଧନ ତା' କରିଲେ ଜୁର ॥

 

ହାରି ଗୁହାରି ତା’ ପାଣିରେ ମିଶିଲା

ବଣିକି ଶାସନ ଶୁଣିଲା ନାହିଁ ।

 

ଭାରତ ମାଟିର ରମଣୀ ଛାତିରେ

ଦେଶ ଚଳେଇବା ସାହସ କାହିଁ ?

 

ଓଢ଼ଣା ଉହାଡ଼େ ଘର କୋଣେ ରହି

ପାଟିରୁ ଯାହାର ନ ଆସେ କଥା ।

 

ରାଇଜ ବୁଝିବା ଶକତି ବା କାହିଁ

ପାଇପାରିବ ସେ ରମଣୀ ମଥା ?

 

ମିରଟ ବେରିଲି ବାରକ୍ ପୁରରେ

ଜଳିଲା ସିପାହୀ ମନର ନିଆଁ ।

 

ଆମ ଦେଶେ ରହି ଅମରି ଉପରେ

ଚଳାଇଛି ଏଇ ଅନୀତି କିଆଁ?

 

ଚାଖିଆ ସହିତ ମନୁବାଇ ବସି

ରାଜ ମହଲର ଭିତର ପୁରେ ।

 

ଲଢ଼େଇ ପାଇଁକି ବଢ଼େଇଲେ ହାତ

ତରବାରୀ ନେଇ ଆପଣା କରେ ॥

 

ଏ ଭାରତ ସାରା ପଡ଼ିଗଲା ଡାକ

ଦେଶପାଇଁ ଆଜି ଜାଗରେ ଜଗ ।

 

ଏ ଦେଶ ମାଟିରୁ ବଣିକି ଶାସନ

ତଡ଼ିବାକୁ ଆଜି ଲାଗରେ ଲାଗ ॥

 

କରେ କରବାଳ ନେଇ ମନୁବାଇ

ଡେଇଁ ପଡ଼ିଲେତ ସମର ଭୁଇଁ ।

 

ଆଖିର ପଲକେ ସିପାହୀ ସକଳ

ସାହସ ଲଭିଲେ ଚରଣ ଛୁଇଁ ॥

 

ସବୁରି ହିଆରେ ଖେଳିଗଲା ସତେ

ବତାସି ବାଆର ଅବୁଝା ଗତି,।

 

ଶକତିର ନିଆଁ ସବୁରି ଆଖିରେ

ମୁକତି ପାଗଳ ସିପାହୀ ଜାତି ॥

 

ନଈ ବଢ଼ି ସମ ମାଡ଼ି ଆସିଗଲେ

ଗୋରା ସଇନର ପ୍ରବଳ ସୁଅ ।

 

ଗୁଳି ଲାଠି ଖାଇ ମଟିରେ ମିଶିଲେ

ମୁକତି ପାଗଳ ଏଦେଶ ପୁଅ ॥

 

ଛାତିପରେ ବାଜି ଗୁଳିର ଆଘାତ

ମନୁବାଇ ତଳେ ପଡ଼ିଲେ ଟଳି ।

 

ଦେଶ ଜନନୀର ଛାତିରେ ସତେ କି

ବଇରିର ଗୁଳି ଗଲାରେ ଗଳି ॥

 

ଆପଣାକୁ ଦେଲା ପାଣି ଛଡ଼ାଇ ସେ

ଜାତିପାଇଁ ତା’ର ଦେଶର ପାଇଁ ।

 

ଏ ଦେଶର ନାରୀ କିସ କରିପାରେ

ଏଇକଥା ସିଏ ଗଲାରେ ଗାଇ !

 

ଅତୀତର ସେଇ ମଲା ଇତିହାସ

ବାହୁନେ ତା’ ଗୁଣ ବାହୁନେ ବସି ।

 

ମରିବି ଏ ଦେଶେ ଅମର ଅଛି ସେ

ଚିରଦିନ ପାଇଁ ହସିରେ ହସି ॥

 

ତା’ ହାଡ଼ ମାଉଁସ ପାଉଁଶ ହୋଇଛି

ଜଳିଲା ଯେ ନିଆଁ ତାହାରି ତଳେ ।

 

ସେ ପାଉଁଶ ତଳେ ନିଆଁ ହୋଇଥିବ

ଏମାଟି ଏଦେଶେ, ଏଦେଶ ଜଳେ ॥

***

 

ବକ୍‍ସି ଜଗବନ୍ଧୁ

 

ମେଦିନୀ ପୁରରୁ ଏ ଜାତିର ଗୁରୁ

ରାଜଗୁରୁ ଆଉ ଫେରିଲେ ନାଇଁ ।

 

ବୁକୁର ରକତ ପାଣି ଫାଟିଗଲା

ଜୀବନ ଛାଡ଼ିଲେ କାହିଁରେ କାହିଁ ?

 

ଗଜପତି ସହି କାରାର କଷଣ

ମଥା ପୋତି ସିଏ ରହିଲେ ସିନା ।

 

ରାଇଜ ଭିତରେ ପଡ଼ିଲା ଚହଳ

ପରଜା ମାତିଲେ ରଜାର ବିନା ॥

 

ନୂଆ ମେଘ ସମ ଗରଜି ଉଠିଲେ

ଖୋରଧା ରାଇଜେ ପାଇକ ଦଳ ।

 

ବକସି ଛାତିରେ ଚହଲି ଉଠିଲା

ଶତ କେଶରୀର ସାହସ ବଳ ॥

 

 

 

ତରବାରି ଛୁଇଁ ମାଆ ମାଟି ପାଇଁ

ରଚିଲେ ସହସା ଜୀବନ ପଣ ।

 

ଏ ଦେଶ ମାଟିରୁ ବଣିକ ଜାତିଟା

ତଡ଼ିଦେବା ପାଇଁ ଜଣକୁ ଜଣ ॥

 

ଫିରଙ୍ଗି ଶାସକ ଚମକି ପଡ଼ିଲେ

ମାଡ଼ି ଦଳିବାକୁ ପାଇକ ଥାଟ ।

 

“ଜଗୁ ବକସିକୁ କାରାରେ ପୁରାଅ

ଏଇ ସବୁ ଯେତେ ତାହାର ନାଟ” ॥

 

“ଅସହ ଯୋଗ”ରେ ସହଯୋଗ କରି

ଜଳିଲା ଭାରତେ ମୁକତି ନିଆଁ ।

 

ଗୋରା ସରକାର ନିଭାଇ ବସିଲେ

ଜଳିଲା ସେ ନିଆଁ, ଲିଭିବ କିଆଁ ?

 

ବୀର ବକସିର ପରିବାର ନେଇ

ସରକାର ଦେଲା କାରାରେ ଭରି ।

 

ସହିଲେ ସଭିଏଁ ଲାଠି ମାଡ଼ ଖାଇ

ରହିଲେ ମାତର ତିଳେ ନ ଡରି ॥

 

ଗୋପନେ ଗୋପନେ ବୁଲିଲେ ବକସି

ପାଇକ ହଟିଲେ ଖାଇଲେ ମାଡ଼ ।

 

ତଥାପି ତାହାର ମନରୁ ନଗଲା

”ଗୋରା ସରକାର ଭାରତ ଛାଡ଼” ॥

 

ଇନାମ ଯାଚିଲେ ଗୋରା ସରକାର

‘‘ବକସିକୁ ଯିଏ ଆଣିବ ଧରି” ।

 

ମୁହଁ ମଗା ଧନ ମିଳିବ ତାହାକୁ

ଜମି ଜାଗା ଦେବେ ଶାସକ କରି ॥

 

ଆଠଟି ବରଷ ବିତିଲା ଏପରି

କଟିଗଲା କେତେ ବିପଦ ଘୋର ।

 

ତଥାପି ବସିଛି ଧରା ନ ପଡ଼ିଲା

ଚମକି ଉଠିଲା ଶାସକ ଚୋର ॥

 

କେତେ ଜନପଦ ମଶାଣି ପାଲଟି

କେତେ ଜନପଦ ପଡ଼ିଲା ତଳେ ।

 

କେତେ ଗାଁ ଧୂଳି ଓଦା ପାଲଟିଲା

ଶତ ଜନନୀର ନୟନ ଜଳେ ॥

 

ଶତ ବିଧବାର ଆତୁର ନୟନୁ

ଲୁହ ହୋଇ ଛୁଟେ ଲୁହର ଧାର ।

 

ଶତ କାମିନୀର ଦାମିନୀ ଆଖିରୁ

ନିଭି ନିଭି ଯାଏ କଜଳ ଗାର ॥

 

ଗୋପନେ ଗୋପନେ ବନେ ବନେ ବୁଲି

ବକସି ଦେଖିଲେ ଦେଶର ଦଶା ।

 

ଲୁଟିଖିଆ ଏଇ ବଣିକ ଜାତିଟା

କରେ ଯାହା ଆଜି କି ଲୋକ ହସା !

 

ପ୍ରିୟ ପରିବାର ମମତା ତିଆରି

ସହିଲେ ଛାତିର ବେଦନା ଶତ ।

 

ମାଆ ମାଟି ପାଇଁ ଲଢ଼ିଲେ ବହୁତ

ଓଡ଼ିଆ ଦେଶର ପାଇକ ସୁତ ॥

 

ବହୁଦିନ ପରେ ଫିରିଙ୍ଗି ଶାସକ

ବୀର ବକସିକୁ ଆଣିଲେ ଧରି ।

 

ପିଠିରେ ପକାଇ ଲାଠି ବାଡ଼ି ମାଡ଼

ଦେହରୁ ଜୀବନ ନେଲେ ତା’ ହରି ॥

 

ଅମଣିଷ ଯେତେ ମାଇଲେ ତାହାକୁ

ମଣିଷ ପଣିଆ ଥିଲା ତା’ ବୋଲି ।

 

ସବୁ ମଣିଷର ଉପରେ ସେ ଆଜି

ଦେଖ ଅମଣିଷ ନୟନ ଖୋଲି ॥

 

ଓଡ଼ିଆ ଦେଶର ବୀର ପୁଅ ସିଏ

ପଥର ତାହାର ଟାଣୁଆ ଛାତି ।

 

ମାରି ମରିବାକୁ ପଛକୁ ନ ଯାଏ

କିମିତି ସତେ ଏ ଓଡ଼ିଆ ଜାତି ॥

 

ମୁକତି ନିଆଁରେ ସେ ବୀର ବକସି

ଜଳି ପୋଡ଼ି ସତେ ହୋଇଛି ଖାର ।

 

ତଥାପି ତା’ ନାଆଁ ଆମର ମନରେ

ଟାଣି ଦେଉଅଛି ସ୍ମୃତିର ଗାର ॥

***

 

ଜୟୀ ରାଜଗୁରୁ

 

କିସ ବା ନକଲେ ଆସି

ହାଣିକାଟି ବଣିକ ବେପାରି ।

 

ଭାଇକୁ ଭଗାରି କଲେ

ଭାଇହାତେ ନିଜ ଭାଇ ମାରି ॥

 

ଶୁଣିବକି ପଚାରୁଚି ତମ ଦେଶୁ

ତମ ଆର ପୁରୁ ।

 

ଓଡ଼ିଆ ଜାତିର ସେନା

ଆହେବୀର-ଜୟୀ ରାଜଗୁରୁ ॥

 

ଶତ ପରାଜୟ ତଳେ

ତଥାପିତ ତୁମେ ଆହେଜୟୀ ।

 

ଜୀବନର ଯାତ୍ରା ପଥେ

ତୁମେ ସତେ ଆମର ବିଜୟୀ ॥

 

 

 

ବୁଢ଼ା ବରଗଛ ତଳେ

ବିରାଟ ତା’ ଓହଳର ଛାତି !

 

ମରିଗଲ ଫେରିଲନି

କି ସାହସୀ ଏ ଓଡ଼ିଆ ଜାତି ॥

 

ମାଡ଼ି ଦଳି ବହୁଦୂରେ

ପିଙ୍ଗି ଦେଲେ ମଳିନ ମାଟିରେ ।

 

ତୁମ ତନୁ ହଜି ଗଲା

କହି ଶ୍ଵାନ ଶୃଗାଳ ପାଟିରେ ॥

 

ହୁଏତ ମଣିବେନାହିଁ

ସେ କଥାକୁ ଆଜି କେହି ସତ ।

 

ସେକଥା ଶୁଣିବା ପରେ

ଶତମଥା ହୁଏ ଅବନତ ॥

 

ବରୁଣାଇଁ ଦେବାଳୟ

ପଲଟଣ ପଡ଼ିଆର ଘାସ ।

 

ଏ ଜାତିର ମହାମନ୍ତ୍ର

ଶୁଣିସତେ ଲଭିଛ ଉଲ୍ଲାସ?

 

ବନ୍ଧୁକତ ଫୁଟେ ନାଇଁ

ଧୂଆଁ ହୋଇ ତୋପ ଯାଏ ଫାଟି ।

 

ବରୁଣାଇ ଦେବୀ ସତେ

ରୋଧିଲାକି ତୋ’ପ ଗୁଳି ଲାଠି ॥

 

ଦେବତା ମାଟିର ତେଜ

ଦେବୀଙ୍କର ଅଶେଷ ମହିମା ।

 

ଜଡ଼ବାଦୀ ବୁଝିଲେକି

ଛୁଇଁଲାକି ତାଙ୍କ ଜ୍ଞାନ-ସୀମା ॥

 

ଜାତିର ଜୀବନ ତୁମେ

ଦୁର୍ବିନିତ ଅଦେୟ ଦୁର୍ବାର ।

 

ମରି ବି ଅମର ତୁମେ

ବିଦଳିତ ହୋଇ ବାର ବାର ॥

 

ପାଟିକରି କହିବାକୁ

ଯେତେବେଳେ ଥିଲା ବନ୍ଧୁ ମନା ।

 

ଅଗନି ପଖଲା କଥା

ମନ ଖୋଲି କରିଲ ରଚନା ॥

 

ଆପଣ ରକତ ଦେଇ

ଧୋଇ ଦେଲା ଜନନୀ ଚରଣ ।

 

ଜୀବନ ମମତା ତେଜି

ମରଣକୁ କରିଲ ବରଣ ॥

 

ତାତିର ଆଗୁଆ ତୁମେ

ଓଡ଼ିଶାର ଜୟୀ ରାଜଗୁରୁ ।

 

ଆମରି ଜୁହାର ଘେନ

ଥାଇ ଆହେ ତମେ ଆର ପୁରୁ ॥

***

 

ଗୋପବନ୍ଧୁ ଦାଶ

 

ରୋଗେ ପଡ଼ି ସଡ଼ି ଶେଯରେ

ପଡ଼ିଛି ଗେଲ ବସରର ପୁଅ ।

ଭାରିଯା ଆଖିରୁ ଉଛୁଳି ପଡ଼ୁଛି

ଆଖିଏ ତତଲା ଲୁହ ॥

 

ବାହାରେ ବହୁଛି ବାଉଳା ବତାସୀ

ଆକାଶୁ ଝରୁଛି ଜଳ ।

ଅବୁଝା ନଈର ଅମାନିଆ ସୁଅ

ବହିଯାଏ କଳ କଳ ॥

 

ବିଲ ବାଡ଼ିସବୁ ଭସାଇ ନେଇଛି

ଧୋଇ ଦେଇଅଛି ଧାନ ।

ଘନ ଘୋର ଏଇ ବରଷା ରାତିର

ବୁଝିନିକି ଅଭିମାନ ॥

 

ଦଦରା ମେଘର ଛାତିକୁ ଫଟାଇ

ବିଜୁଳି ମାରୁଛି ଡିଆଁ ।

 

 

ମେଘ ଗୁଡ଼ାସବୁ ପିଟାପିଟି ହୋଇ

ଛିଟିକି ପଡ଼ୁଛି ନିଆଁ ॥

 

ବଇତରଣୀର ଫୁଲିଲା ଛାତିରେ

ଭଉଁରୀ ମାରୁଛୁ ଶତ ।

ବୁଡ଼ିଅଛି ନାଆ ମାଝିତ ମରିଛି

ପାଣି ଯେ ଅକାତ କାତ ॥

 

ଗାଆଁ ଘରସବୁ ସୁଅ ମାଡ଼ିଗଲା

ଲୋକେ ହେଲେ ବାସହରା ।

କୁନିପୁଅ କାହିଁ ଅଝଟ ହେଉଛି

ଖାଇବାକୁ ନାହିଁ 'ପରା ॥

 

କା’ ପୁଅ ବୁଡ଼ିଛି ଅତଳ ଜଳରେ

କା’ ବାପ ଯାଇଛି ଖୋଜି ।

ମା କୋଳେ ଶୋଇ କାହା ସୁନାଝିଅ

ଆଖିକୁ ଦେଲାଣି ବୁଜି ॥

 

ପାଣି ଝର ସାଥେ କୋଟିଏ ନୟନୁ

ଝରୁଛି ତତଲା ଲୁହ ।

 

 

ଏଡ଼େ ଦେଶ ଛାତି ମସାଣି ହେଲା ଲୋ

କି ନକଲା ପାଣି ସୁଅ ॥

 

ଗହୀର ରାତିରେ ନିଦେଇ ପଡ଼ିଛି

ବେଦନା ବିଧୂରା ମହୀ ।

ଦେଶଟିର ଦଶା କିସବା ନହେଲା

କଥାରେ ନହୁଏ କହି ॥

 

ଜଣକ ଆଖିରେ ନିଦତ ମାଡ଼ୁନି

ମରମ ବାହୁନି ଉଠେ ।

ଦେଶ ଗୋଟାକର ଦୁରୁଦଶା ଦେଖି

ଆଖିରୁ ତା’ ଲୁହ ଛୁଟେ ॥

 

ଆପଣାର ପୁଅ ଶୋଇଛି ରୋଗରେ

ଦେହେ ଖଇଫୁଟା ତାତି ।

ବଇଦ ବାପୁଡ଼ା ଔଷଧ ଦେଇଛି

ରୋଗଟା ଶକତ ଅତି ॥

 

ଆପଣାର ମଥା କଚାଡ଼ି କଚାଡ଼ି

ଘରଣୀ କହୁଛି କଥା ।

“ଏ ବିପଦ ବେଳେ ଛାଡ଼ିଯିବାକୁ କି

ଲାଗୁନି ତୁମକୁ ବଥା ॥

 

ଦୁନିଆଁ ଯାକର ଦରଦ ଯା’ ଛାତି

ଜଣକ ଦରଦ କେତେ ।

ତା’ ଛାତି ଦରଦ କେଡ଼େ ଗହୀର ଲୋ

ବୁଝିବ ବା କିଏ ସତେ ॥

 

ଦେଶଟା ପଡ଼ିଛି ଘୋର ବିପଦେ ଲୋ

ଏ ବିପଦ ବଡ଼ ନୁହେଁ ।

ମୁଁ ନଗଲେ ଆଜି ଭାସିବ ଦେଶଲୋ

କୋଟି ମାଆ ଆଖି ଲୁହେ ॥

 

ଗୋଟିଏ ବାପାର ଏକ ପୁଅ ସିନା

ଆଜିଦେବ ଆଖି ମୁଦି ।

କୋଟିଏ ବାପାର କୋଟିଏ କୁମର

ଘଡ଼ିକେତ ଯିବେ ହଜି ॥

 

ଏଇସେ ମଣିଷ ହିଆରେ ଯାହାର

ଅଶେଷ ମମତା ଥିଲା ।

 

 

ପୁଅ ପରଜାର ଦୁଃଖ ଜାଣିବାରେ

କରିନି ଟିକିଏ ହେଳା ॥

 

ଜାତିର ବାପୁଜୀ ଯେ ପଥେ ଚାଲିଲେ

ମୁକତି ମଶାଲ ଧରି ।

ସେ ଆଲୁଅ ଘେନି ସିଏବି ଚାଲିଲା

ବାପୁ ପଥ ଅନୁସରି ॥

 

କାରାଗାରେ ରହି ଗାଇଲ ନିରତେ

କାରା କବିତା’ର ଗାନ ।

‘ଧରମ ପଦ’ର ପଦେ ପଦେ ଲେଖି

ଧରମାର ସନମାନ ॥

 

ଗରିବ ମୂଲିଆ ଝୁରିମରେ ଆଜି

ନଈକୂଳେ ପଥ ଦେଖି ।

ବକୁଳ ବନର ଆକୁଳ ମନରେ

ସବୁ ସେ ଯାଇଛି ଲେଖି ॥

 

ଆଜି, କାଲିପରି ଅନେକ ଦିନଲୋ

ଅତୀତ ପାଇଲା ଲୋପ ।

ଯୁଗ ଯୁଗ ଧରି କେ’ ଭୁଲି ପାରିବ

ସେତ ଦୀନଜନ “ଗୋପ” ॥

***

 

ମଣିନିଧି

 

ବାସି ପଖାଳରେ ଲୁଣ ଟିକେ ଗୋଳି

ଖାଇବାର ଅଧିକାର ।

ଛଡ଼ାଇ ନେବାରେ କି ଯଶ ପାଇବ

ଲୁଟିଖିଆ ସରକାର ॥

 

ଖଟିଖିଆ ଯେତେ ଗରିବ ମୂଲିଆ

ନାହିଁ ଯାର ଦାନାକନା ।

ଲୁଣ ଟିକେ ମାରି ଜୀଇଁ ରହିବାକୁ

କେ’ କରିପାରିବ ମନା ?

 

ବିଧାତା ଦେଇଛି ନୀଳ ଦରିଆରେ

ଅଗାଧ ଲୁଣିଆ ଜଳ ।

ସେ ଜଳ ବିଛେଇ ମାଟିର ଛାତିରେ

ଲଗାଇ ଆପଣା ବଳ ॥

 

କପାଳର ଲୁଣି ଝାଳ ମାରିଦେଇ

ତିଆରି କରେ ଯେ ଲୁଣ ।

 

 

ଅସାଧୁ, ବଣିକ ବୁଝିକି ପାରିବ

ସେ ଲୁଣର କେତେ ଗୁଣ ?

 

ଆମରି ପାଣିର ଆମରି ଦରବ

ସେଥିରେ କା’ ଅଧିକାର ।

ଆମ ଦାନାକନା ଲୁଟିବା ପାଇଁକି

ଆସିଚି ଏ ସରକାର ?

 

ଲୁଣ ମାରିବାରେ ଖଜଣା ଲାଗିଲା

ବଢ଼ିଲା ଲୁଣର ଭାଉ ।

କେତେବା ସହିବ ଏ ଜାତିଟା ଆମ

ଗୋରା ସରକାର ଦାଉ ?

 

ସାବର ମତୀରୁ ବାପୁଜୀ ଛାଡ଼ିଲେ

ଦେଶପାଇଁ ଘୋର ରଡ଼ି ।

ଲୁଣ ମାରିବାର ଖଜଣା ମାଗିଲେ

ଦେଶୁ ଦେବୁ ଆମେ ତଡ଼ି ॥

 

ଖେଳିଗଲା ଏଇ ଚେତାବନୀ ବାଣୀ

ଭାରତରେ ଘରେ ଘରେ ।

 

 

ତୁନି ହୋଇ କେତେ କିଛି କହିଲେନି

ଗୋରା ସରକାର ଡରେ ॥

 

ଦରିଆ କୂଳର ମୂଲିଆ ମତାଇ

ମଣିନିଧି ହେଲେ ନେତା ।

ଲୁଣ ମାରିବାରେ ଖଜଣା ଦେବୁନି

ଏହାହିଁ ଆମର କଥା ॥

 

ପୁରୀ ଜିଲ୍ଲାଟାର ଲୋକେ ମାତିଗଲେ

ସରକାର ହେଲେ ନିଆଁ ।

ମାମୁଲି ଓଡ଼ିଆ ଏତିକି ସାହାସ

ନେତା ନକରିବେ କିଆଁ ॥

 

ସରକାର ଆଗେ ମଣିନିଧିର ବା

ଅଛଇ ସାହସ କିସ ।

କେତେ ଯେ’ ନେତାର ଜୀବନ

ନେଲାଣି ଗୁଳି ବାରୁଦର ବିଷ ॥

 

ଗୋରା ସଇନର ଗୁଳି ମାଡ଼ ଖାଇ

ମଣିନିଧି ଗଲା ମରି ।

ଦେଶ ଇତିହାସ ଘୋଷୁଥିବ ନିତି

ନିରବଧି ନାଆଁ ଧରି ॥

 

ମଣିନିଧି ସେତ ଦେଶ ଜନନୀର

ହଜିଲା ମାଣିକ ନିଧି ।

ସେ ମଣିର ତେଜ ଫିକା ପଡ଼ିବନି

ସତେକି ଗଢ଼ିଲା ବିଧି ?

 

ଓଡ଼ିଆ ଦେଶର ଓଡ଼ିଆ ପୁଅ ସେ

ନୀଳାଚଳେ ତା’ର ଘର ।

ଚଉବାହା ସାହା ଯାହାର ସେଅବା

କରିବ କାହାକୁ ଡର ?

 

ତା’ ଛାତି ତଳରେ ଜଳୁଥିଲା ଯେତେ

ଦେଶ ଜାତି ପାଇଁ ଜୁଇ ।

ଗୋରା ସରକାର ନିଭାଇ ପରିବେକି

ବାରୁଦ କମାଣ ଛୁଇଁ ॥

 

ସେ ମରିଛି ସତ ମରିନି ମାତର

ଗୋରା ସରକାର ଡରେ ।

 

 

ଶତ ଶତ ଶିଶୁ ନିଆଁ ଧରି ତା’ର

ନାଚନ୍ତି ଆପଣା ପୁରେ ॥

***

 

ବାଜି ରାଉତ

 

ସେ ପାରିକି ଆଉ ଆଖି ପାଉନାହିଁ

ରାତିଟା ହେଲାଣି ଭାରୀ ।

ଫୁଲିଲା ନଈର ଅମାନିଆ ଛାତି

କେ’ ପାରିବ କରି ପାରି ॥

 

ସୁଅ ମାଡ଼ିଆସେ ଦୁଇ କୂଳ ଖାଇ

ନହଡ଼ି ମାରୁଛି ଜଳ ।

ରାତିଟା ଆଉଛି ଡେଣାଦୋହଲାଇ

ପାରିହେବାକୁ କା’ ବଳ ?

 

ନିଦେଇ ପଡ଼ିଛି ଥକିଲା ନାଆଟା

ଉଜାଣି ଉଠୁଛି ପାଣି ।

ନାଉରିଆ ପିଲା ଘୁମେଇ ପଡ଼ିଛି

ଜାଣିକି ପାରୁନି ଜାଣି ॥

 

ଶୀତୁଆ ପବନେ ଉଲସି ଉଠୁଛି

ରାତି କଳା କିଟି କିଟି ।

 

 

ଆକାଶ ମଥାନେ ଓଢ଼ଣାଟି ଖୋଲି

ତାରାକରେ ମିଟି ମିଟି !

 

ମେଘ ବରଷୁଛି ଝିପିରି ଝିପିରି

ଥରେ ଅମେଇସା ରାତି ।

ବଣ ବୁଦା ଡେଇଁ ନଈକୁ ଆସିଲେ

ବଦେଶୀ ସଇନ ଜାତି !

 

ଦୁଇ କୂଳ ଖାଇ ସୁଅ ଦଉଡ଼ୁଛି

ନାହିଁ ତା’ର ଥଳକୂଳ ।

ସୁଅ ସହ କିଏ ଲଢ଼େଇ କରିବ

କାହାର ବା ସେତେବଳ ?

 

ଛାତି ଥରୁଅଛି ମନ ଡରୁଅଛି

ନଗଲେତ କାମ ବାକି ।

ନାଉରିଆ ପିଲା ନାହିଁ କିରେ କେହି

ଆଣତାକୁ ଏଠି ଡାକି !

 

ନଈ ଆରପାରି ନାଆ ଅଟକେଇ

ଶୁଣୁନିତ ସିଏ କିଆଁ ।

 

 

ବଣିକ ଜାତିର ମୁଖିଆ ସିପାହୀ

ଡାକେ ଆଖିକରି ନିଆଁ ॥

 

ତା’ ଆଖିର ନିଆଁ ନିଭି ହୁଏ

ଖାର ଶୁଣିଲେ ମେଘର ରଡ଼ି ।

ଭଉଁରି ଖେଳାଇ ଛାତିରେ ଛୁଟୁଛି

ଉଛୁଳା ନଈର ବଢ଼ି !

 

ବେଗି ବେଗି ଆସ ନାଉରିଆ ପିଲା

ସହଳ ଫିଟାଅ ନାଆ ।

ଦେଖୁଛି କି ନାଇଁ କଚାଡ଼ି ହଉଛି

ପଶ୍ଚିମା ବତାସୀ ବାଆ !

 

ଗୋରା ସଇନର ସାହେବୀ ଡାକକୁ

ବାଜିଆ ଶୁଣିଲା କାନେ ।

ଓଡ଼ିଆ ରକତ ଜୀବନଗଲେକି

ଧମକକୁ କେବେ ମାନେ !

 

ପରଜା କୂଳର ଆଦେଶ ପାଇଛି

ଫିଟାଇବି ନାହିଁ ନାଆ ।

ସାନ ହେଲେ କି ସେ ଦେଶର

ବିପଦେ କାହିଁକି ନ ହେବ ସାହା ?

 

ବାହାକୁ ବାହାତ ଦିଶୁନାହିଁ ଭାଇ

ଅନ୍ଧାର ରହିଛି ଘେରି ।

ଅନାଇ ରହିଲେ ସିପାହୀ ସକଳ

ନାଆ କଲା କିଆଁ ଡେରି ॥

 

ଭୀମ ରଡ଼ିଛାଡ଼ି ଡାକିଲେ ସଭିଏଁ

କରିବାକୁ ନଈ ପାରି ।

ଧମକ ଛାଡ଼ିଲେ ନାଆନ ଆଣିଲେ

ଜୀବନେ ଦେବାକୁ ମାରି ॥

 

ମରି ଜୀଇଁବାର ଶିଖିଛି ଯେ’ ଜାତି

ମର ଏ ମରତେ ରହି ।

ମାରିପାରେ କହ କିଏ ସେ

ଜାତିକୁ ମଣିଷ ଜୀବନ ବହି ॥

 

ପରଜା କୁଳର ଆଦେଶ ନ ପାଇ

ନାଆ ଫିଟାଇବି ନାହିଁ ।

 

 

ବାର ବରଷର ବାଜି ବଖାଣିଲା

‘‘ଶୁଣହେ ସିପାହୀ ଭାଇ” ॥

 

ଗରଜି ଉଠିଲା ସିପାହୀ ନାୟକ

”ଆରେରେ ନାବିକ ଛୁଆ ।

ଜୀବନକୁ ତୋରଭୟ ଅଛି ଯଦି

ଏ କୂଳରେ ଲଗା ନାଆ ॥

 

ଜୀବନକୁ ମୋର ଭୟ ଥିଲା ସତେ

ଆଉ ଏବେ ଭୟ ନାହିଁ ।

ଭାବିବି ନି ମୁହିଁ ଜୀବନ ଗଲେ ବି

ଏ ମୋର ଜାତିର ପାଇଁ ॥

 

ବାଜିର ଟାଣୁଆ କଥା ଶୁଣି ଭାଇ

ବିଗିଡ଼ି ଗଲା ଯେ ମଥା ।

ଆଖିରୁ ଛୁଟିଲା ନିଆର ଝଲକ

କହିପାରିଲେ ନି କଥା ॥

 

ରାତିର ଛାତିକୁ ଫୁଟାଇ ଛୁଟିଲା

କମାଣ ବାରୁଦ ଗୁଳି ।

ବାର ବରଷର ବାଜିର ବଳୁଆ

ବକ୍ଷ ପଡ଼ିଲା ଟଳି ॥

 

ନଈର ସୁଅରେ ମିଶିଲା ତା’ ଦେହ

ରକତ ମାଉଁସ ଯେତେ ।

ବିଦେଶୀ ସଇନ ପାରିଲା କି ବୁଝି

ସାହସ ତାହାର କେତେ ॥

 

ବାର ବରଷର ଓଡ଼ିଆ ପୁଅ ସେ

ସାହସର ସୀମା ଛୁଇଁ ।

ଜୀବନ ଢାଳିଲା ପରଜା ପାଇଁକି

ଧନ୍ୟ ତ।‘ ଜନମ ଭୂଇଁ ॥

 

କହ କେହି ଆଜି ବାଜିରାଉତକୁ

ପାରିବ କି କେବେ ଭୁଲି ।

ଦେଶ ଜାତି ପାଇଁ ଖାଇଛି ସାହସେ

ଗୋରା ସଇନର ଗୁଳି ॥

 

ପୋଡ଼ି ଜଳି ଆଜି ପାଉଁଶ ହୋଇଛି

ତା’ ଛାତିର ସବୁ ନିଆଁ ।

 

 

ସେ ପାଉଁଶ ତଳେ ଜୀଇଁଛି

ତଥାପି ଦେଖୁ ଆଜି ଏ ଦୁନିଆଁ ॥

***

 

ଲକ୍ଷ୍ମଣ ନାୟକ

 

ପଳାଅରେ ଭାଇ ପଳାଅରେ ଭାଇ

ସଇନ ଆସିଲେ ମାଡ଼ି ।

କିଏ କାହିଁ ଲୁଚି ଉଭେଇ ଗଲେ ତ

ଜଣେ ଗଲାନାଇଁ ଛାଡ଼ି ॥

 

ସଭା ବସିଥିଲା, ଜମିଥିଲେ ବହୁ

ଆଦିବାସୀ ନରନାରୀ ।

ଲଇକ୍ଷଣ ବୀର କହୁଥିଲା କଥା

ଦେଶ ପାଇଁ ହୋଇ ଘାରି ॥

 

ନେତା ନୁହେଁ ସିଏ ନେତା ବି

ନୁହେଁ ତ ଆଦିମ ମଣିଷ ସିନା ।

ବୁଝିଥିଲା ସିଏ ସରକାର କାହିଁ

ରହିବ ପରଜା ବିନା ?

 

ପରଜାର ମନ ବୁଝିସିନା ଯିଏ

ରାଇଜେ ରାଜୁତି କରେ ।

 

 

ସୁଖରେ ପରଜା ବିତାଏ ଜୀବନ

ସିଏ ରହେ ମଉଜରେ ॥

 

କିମିତି ରଜାଏ ଲୁଟି ନେଇ ସବୁ

ଭରିବ ତାହାରି ପୁର ।

ଖଟି ଖଟି ଆମେ ଖାଇ ପାରିବୁନି

ରଜାଏ କରିବେ ଦୂର ॥

 

ପରଜାଙ୍କୁ ଡାକି ବୀର ଲଇକ୍ଷଣ

ବଖାଣୁ ଥିଲା ଏ ସବୁ ।

ସରକାର ଆମ ଚାହୁଁଛି କେବଳ

ଦେଶଟା କିମିତି ନବୁ ॥

 

ଆଉ ଦବିବନି, ଏ ଶୁଭ ବେଳାରେ

ଶୁଣ ବାପୁଜୀର ଡାକ ।

ମୁକତିର ରାତି ପାହି ଆସିଲାଣି

ସକାଳ ହେଲାଣି ପାଖ ॥

 

ଆଦିମ ପିଲାର ଟାଣ କଥା ଶୁଣି

ସଇନେ ଆଣିଲେ ଧରି ।

 

 

ହାକିମ ହୁକୁମେ ଜୀବନକୁ ଦେଲେ

ନିମିଷକେ ଶେଷ କରି ॥

 

କେଉଁ ବଳେ କାଳ ଆସିଲାରେ

ସତେ କମିଲା ଜୀବନ ଭାଉ ।

ଦିନକୁ ଦିନତ ବଢ଼ିଲା ଭାରତେ

ଗୋରା ସରକାର ଦାଉ ॥

 

ଆମ ଧନ ଲୁଟି ଆମକୁ ମାଇଲା

କରିବାରୁ ଥରେ ପାଟି ।

କଥା ପଦେ କେବେ କହିତ ହେଲାନି

ପଡ଼ିଲା ପିଠିରେ ଲାଠି ॥

 

ଦେଶ ଧରଷଣ, ଗୋଳା ବରଷଣ

ସହିଲା ଏ ଦେଶ ମାଟି ।

ଦେଶ ଜନନୀର ସୁନାପୁଅ ପିଠି

ମାଡ଼ ଖାଇଗଲା ଫାଟି ॥

 

ସେଇ କାଳ ବେଳ ବିତି ଯାଇଛିରେ

ମୁକତି ଲଭିଛି ଦେଶ ।

ସୁଜଳା ସୁଫଳା ଭାରତ ମାଟିର

ବିକଶିଛି ନୂଆ ବେଶ ॥

 

ଲଇକ୍ଷଣ ପରି କେତେ ଯେ ନାୟକ

ଦେହକରି କୁରୁବାନ ।

ଦେଶ ମାଆ ହାତୁ ଶିକୁଳି ଫିଟାଇ

ବଢ଼ାଇଲେ ଦେଶମାନ ॥

 

ସେ ମାଟିର ଆମେ ବୀର ଶିଶୁ ଯେତେ

କହୁଅଛୁ ଆଜି କଥା ।

ଦେଶ ଜାତି ପାଇଁ ଦରକାର ହେଲେ

କାଟିଦବୁ ନିଜ ମଥା ॥

***

 

ବାବୁରାଓ

 

ଉଣେଇଶ ତିରିଶରେ

ଏ ଦେଶ କି ଥିଲାରେ ।

ଏମିତିକି ଥିଲେ ସବୁ

ଆମ ଦେଶ ପିଲାରେ ॥

 

ଗୋରା ସରକାର ବସି

କରୁଥିଲେ ଶାସନ ।

ଆମ ଧନ ଲୁଟି ନେଇ

ସାଜୁଥିଲା ଆସନ ॥

 

ଆମେ ସବୁ ନିଶାଖାଇ

ହେଉଥିଲୁ ବାଇରେ ।

ସେମାନେତ ମଉଜରେ

ମାରୁଥିଲେ ହାଇରେ ॥

 

ଆମେତ ଖାଇଲୁ ନିଶା

ଖାଇଲେ ସେ ଧନରେ ।

 

 

ନିଶାଖାଇ ଦୁରୁବଳ

ହେଲା ଆମ ମନରେ !

 

ଏ ଚାଲାକି ଦେଶ ଲୋକେ

ବୁଝିଗଲେ ଜାଣିରେ ।

ପାଟି କଲେ ଚାରିଆଡ଼େ

ବାଘ ଶିଶୁ ଠାଣିରେ ॥

 

ଧମକାଇ ଚମକାଇ

ଲୁଟି ଖିଆ ଶାସକ ।

ଲାଠି ଗୁଳି ବାରୁଦରେ

ଦେଲ ବହୁ ଧମକ ॥

 

ଡରିବାର ଦେଶ ନୁହେଁ

ସତେକିବା ଡରିବ ।

ଦେଶ ପାଇଁ ଜାତି ପାଇଁ

ମଲେ ପଛେ ମରିବ ॥

 

ବୀର ବାବୁରାଓ ଶୁଣି

ଏଇ ବୀର ବାଣୀରେ ।

 

 

ବାପୁଜୀର ନିତିକଥା

ବଖାଣିଲା ଠାଣିରେ ॥

 

ନିଶା ନିବାରଣ ପାଇଁ

ମତାଇଲା ଦେଶଟା ।

ସରକାର ସହିବ କି

ଏମିତିକା ବେଶଟା ॥

 

ଖବରଟା ପାଇବାରୁ

ସରକାରୀ ସିପାହୀ ।

ଘେରି ଗଲେ ସହରକୁ

ଦିନସାରା ବିତାଇ ॥

 

ଠିଆହୋଇ ବଜାରର

ବଡ଼ କୋଠା ଉପରେ ।

ଦେଖାଦେଲେ ବାବୁରାଓ

ସିଂହ ଶିଶୁ ରୂପରେ ॥

 

ଛୁଟିଗଲା ଗୁଳି କେତେ

ଫୁଟିଗଲା କମାଣ ।

ଜାତି ପାଇଁ ମରିବାଟା

ମୁକତିର ନିଶାଣ ॥

 

ସେ ଆଜି ଯାଇଛି ମରି

ଆଜି ସିଏ ନାଇଁରେ ।

ଦେଶଟା ଝୁରିବ ବସି

ଗୁଣ ତା’ର ଗାଇରେ ॥

 

ଦେଶ ଜନନୀର ସିଏ

ନାଆଁ ରଖା କୁମର ।

ଆଜି ଯେତେ ବୀର ଶିଶୁ

ତା କଥାକୁ ସୁମର ॥

***

 

ଉଦ୍ଦାମସିଂ

 

“ମାରନା ମାରନା ଉଦ୍ଦାମ ବାବୁ

ରହିଯାଅ ଟିକେ ରହିଯାଅ ।

ସଭାତ ବସିଛି କହିବାର ଯାହା

କହିଯାଅ, କିଛି କହିଯାଅ” ॥

 

“କହିବାକୁ ମୋର କିଛି ନାଇଁ, ଖାଲି

କରିବାକୁ କିଛି ଅଛି ଲେଶ ।

କହିବାର ଯାହା କହିବି ପଛକେ

କରିବାର କାମ ହେଉ ଶେଷ” ॥

 

ଡାଇଆର ବୁକେ ବାଜିଗଲା ଗୁଳି

ଗୋରା ଦେଶଟାର ସଭାଘରେ ।

ଚମକିଉଠିଲେ ସଭାସଦ ଗଣ

କିସ ହେଲାବୋଲି ଖରତରେ ॥

 

ସଭା ଘରେ ପଶି ଜୀବନେ ମାରିଛି

ସାହସୀ ଯୁବକ ଭାରତର ।

 

 

ସାହସ ଟା ତା’ର କମ୍ ନୁହେଁ

ପୁଣି, ଦୋଷଟା ହୋଇଛି ଗୁରୁତର ॥

 

ଶୁଣ ଆଜି ଆମେ କହୁଛୁ ତୁମକୁ

ବଣିକ ବେପାରୀ ଗୋରାଲୋକ ।

ଡାଇଆର ତୁମ ମାରି ପକାଇଛି

ଆମକୁ ଭାବିଛି ଝଡ଼ିପୋକ ॥

 

ଗୋଟିଏ ଲୋକ ସେ କୋଟିଏ ମାରିଛି

ସିଏତ ମାରିନି କୋଟି କୋଟି ।

କୋଟି ମଣିଷର ରକତ ଖିଆକୁ

ମାରିଅଛି ସିନା ଲୋକ ଗୋଟି ॥

 

ଜାଲିଆନାବାଗ୍ ସଭା ତଳେ ବସି

ମୁକତି ପାଗଳ ନରନାରୀ ।

ଦେଶ ଦୁରଦଶା ନିରେଖି ନିରେଖି

ଦେଶ ପାଇଁ ହେଉଥିଲେ ଘାରି ॥

 

ଡାଇଆର ତୁମ ପଛପଟୁ ଆସି

ଆଖି ପଲକରେ କଲା ଗୁଳି ।

 

 

ନାନକ କୂଳର ଶିଖ ପୁଅ ତାହା

ଭୁଳି ପାରିବକି ପାରେ ଭୁଲି ?

 

କୋଟିଏ ଘରର କୋଟିଏ ଘରଣୀ

ଶତ ଶତ ଚଷା ପୁଅ ମଲା ।

ସରଜିଲେ ଯେଉଁ ରକତର ଲୀଳା

ଭୁଲିବକି କହ କିଏ ଭଲା ?

 

ଉଦ୍ଦାମ ଛାତିରେ ଜଳୁଥିଲା ନିଆଁ

ଖାଲି ତା’ର ପାଇଁ-ଡାଇଆର ପାଇଁ ।

ରକତ ଖିଆର ଜୀବନ ନେବାରେ

ଦୋଷ ତା’ର ଅବା ଅଛି କାହିଁ ?

 

ବିଦେଶ ମାଟିରେ ଦେଶ ଜାତି ପାଇଁ

କରିଅଛି ସିଏ ଯେଉଁ କାମ ।

ଭାରତ ମାଟିକି ଭୁଲିପାରେ କେବେ

ସେ ବୀର ପୁଅର ନାମ ଧାମ ॥

 

ଜାଣି ଜାଣି ସିଏ ମରଣ ବରିଛି

ବେକରେ ଦେଇଛି ଫାସିକାଠ ।

ସବୁରି ଆଗରେ ଗରଜି ଗାଇଛି

ଏ ମହା ଜାତିର ଜୟ ପାଠ ॥

 

ଫଉଜ ଲଗାଇ ମଉଜ କଲା ଯା

ଗୋରା ସରକାର ଏଇ ଦେଶେ ।

ଦୁନିଆଁ ଦେଖିଛି ଆଖି ମେଳାଇ ତା’

କି ଦଶା ପାଇଲା ଅବଶେଷେ ॥

 

ଉଦ୍ଦାମ ତୁମେ ଦେଲ ତା’

ଆଚରି ତୁମର ନୂଆ ନିତି ।

ତୁମକୁ ସୁମରି ଏ ଦେଶ ଗାଇବ

ଆଗାମୀ ଯୁଗର ଜୟଗୀତି ॥

***

 

ଖୁଦୀରାମ

 

ଆମରି ଦେଶର ଧନ ଓ ଦରବ

ପର ଦେଶେ କିଆଁ ଯିବ ।

ଆମ ଦେଶ ପୁଅ ପର ପାଶେ ଯାଇ

ହାତ ପାତି ମାଗୁଥିବ ॥

 

ଆମରି ଖେତର ପାଚିଲା ଧାନ ସେ

ପୋଖରୀର କଳା ପାଣି ।

ଛାଡ଼ିଦେଇ ଆମେ ଖାଇବୁ କାହିଁକି

ଆନ ବିଜ ଦେଲେ ଆଣି ॥

 

ଆମରି ବୁଣିଲା ବସନ ଛାଡ଼ିଲେ

ଆଣିବୁ ଆନର କନା ।

କହୁଛି ମୁଁ ଭାଇ ବଣିକ ଜାତିକୁ

କରିଦିଅ ଆଜି ମନା ॥

 

ଜାତି ପିତା ଆମ ବାପୁଜୀର ତୁମେ

ଶୁଣିଏ ମଧୁର ବାଣୀ ।

 

 

ଗାଇଲ ନିରତେ ଦେଶୀ ଚିଜ ନିଅ

ଆନର ଚିଜ ନ ଆଣି ॥

 

ଦେଶ ଜାତିପାଇଁ ଡାକ ପକାଇଲ

ଆହେ ବୀର ଖୁଦୀରାମ ।

ରାବଣ ପୁରୀରେ ନିରତେ ଗାଇଲ

ଭଜି ତୁମେ ରାମ ନାମ ॥

 

ଗୋରା ମଣିଷକୁ ଘଉଡ଼ି ଦେବାରେ

ଛାତିରେ ସାହସ ଭରି ।

ସରକାର ଆଗେ ଯାଇଣ କହିଲେ

ତିଳେ ମାତର ନ ଡରି ॥

 

ସରକାରୀ ଲୋକେ ମାଡ଼ ଖାଇ ଗଲେ

ତୁମରି ଚାପୁଡ଼ା ପାଇ ।

ହାକିମ ହୁକୁମେ ତୁମେତ ରହିଲ

ଦୂର କାରାଗାରେ ଯାଇ ॥

 

ମୁଜାଫରପୁରେ ବୋମା ପକାଇଲା

ସାହେବ ଯାଉଚି ବୋଲି ।

 

 

ସାହେବ ନଥିଲା ତାହାରି ଭିତରେ

ଆନ ଜଣେ ଗଲା ଜଳି ॥

 

ଅନୁତାପାନଳେ ପୋଡ଼ି ଜଳିଗଲ

ସରକାର ନେଲା ଧରି ।

ଫାସିକାଠ ଯାଇ ଜୀବନ ତେଜିଲ

ଆସିଲନି ଆଉ ଫେରି ॥

 

ଜନନୀ ତୁମର ଲୁହ ଢାଳିଥିବେ

ତୁମ ରୂପ ଗୁଣ ଭାଳି ।

ପିଲା ବୟସର କଅଁଳ ଶିଶୁ ହେ

ଦେଶ ପାଇଁ ଗଲ ଚାଲି ॥

 

ଜନନୀ ତୁମର ଖୁଦ ବଦଳରେ

ପୁଅପାଇଁ ଦେଲେ ନାମ ।

ହୀନ କପାଳୀର ମାନ ରଖିବାକୁ

ନ ରହିଲ ଖୁଦୀରାମ ॥

 

ଜନନୀତ ତୁମ ବୁଝି ନଥିବ ହେ

ପୁଅ ଯାଇ କିସ କଲା ।

ହଜାଇଛି ପୁଅ ମାଆ ସିନା

କାହାର କଅଣ ଗଲା ॥

 

ତୁମର ଜନନୀ ଲୁହ ଗଡ଼ାଇଲେ

ହସିଲା ଏ ଦେଶ ମାଆ ।

ଦେଶ ଜନନୀର ତୁମେ ସୁନାପୁଅ

ବିପଦ-ସାଗରେ ନାଆ ॥

 

ଦେଶ ଇତିହାସ ତୁମକୁ ଝୁରିବ

ଆଖିରୁ ଝରାଇ ବାରି ।

ଭାରତ ଜନନୀ ଛାତି ପିଟି ହେବ

ପରାଣ ହେବ ତା’ ଘାରି ॥

 

ଆମେ ସବୁ ଆଜି ତୁମରି ନାଆରେ

ଜୟଗୀତ ଯିବୁ ଗାଇ ।

ମୁକତିର ପଥେ ତୁମେ ଖୁଦୀରାମ

ପଥ କହ ଦୂରେ ଥାଇ ॥

***

 

ବାଘାଯତୀନ

 

ତିନିଶ ବିରଷଧରି କେତେ

ବୋଝ ଆମ ଗଲା ବହି ।

ବେଦନା ବହୁତ ପୁଣି

ଆମ ଛାତିତଳ ଗଲା ଦହି ॥

 

ଦେଶବି ଦି ଭାଗହେଲା

ଆମ ଭାଇ ଆମକୁ ଛାଡ଼ିଲା ।

ଆମ ଭାଇ ପିଠି ପରେ

ପାଦ ଥୋଇ ଆମକୁ ମାରିଲା ॥

 

ଆମରି ଘରର ଶିଶୁ ନପଢ଼ିଲା

ଆସି ଦେଶ ପାଠ ।

ଆମରି ପାଣିର ଲୁଣ

ପରହେଲା ନମିଳିଲା କାଠ ।।

 

ଆମେ ସବୁ ଜିଭ ଚାବି

ପଦେ ହେଲେ ନକହିଲୁ କଥା ।

 

 

ଆମରି ଦେହରେ ଥାଇ

ଆମର ନ ହେଲା ଆମମଥା ।

 

‘ସୁନାର ବାଙ୍ଗଲା ଦେଶ’

ଚୂନାହେବ ଦେଖିବକି ତୁମେ ।

ବିଲୁଆର ନାଚଦେଖି

ସହିବକି କେଶରୀର ଭୂମେ ?

 

ସୁଜଳା ସୁଫଳା ମାଟି

ମଳୟଜ ଶୀତଳା ଭାରତ ।

ଆଖି ଥାଉ ଅନ୍ଧ ହେବ !

ବଳଥାଉ ହେବ ପଦାନତ ।।

 

ସରକାରୀ ଚାକିରି ମୋହଛାଡ଼ି

ଜାଳିଗଲ ନିଆଁ ।

ଭିତରତ ତାତୁଥିଲା ବାହାରକୁ

ଡରନ୍ତା ବା କିଆଁ ?

 

ବାଘର ସାହସ ଧରି କଲ ଯାହା

ହେ ବାଘାଯତୀନ ।

 

 

ଏ ଜାତିକି ଭୁଲିପାରେ

ରଖିଥିବ ମନେ ଚିରଦିନ ।।

 

ନରମ ନରମ କହି ଦେଶଟାକୁ

ଆଣିବାକୁ ହାତେ ।

ଅନେକ ରହିଲେ ଡରି

ଲଢ଼ିବାକୁ ସରକାର ସାଥେ ।।

 

ଚରମ ଶପଥ ତୁମ ଥିଲା ବନ୍ଧୁ

ବିଦେଶୀକୁ ଦେଶରୁ ତଡ଼ିବା ।

ଦେଶପାଇଁ ଜାତିପାଇଁ

ଏ ଦେଶର ମାଟିରେ ଗଡ଼ିବା ।।

 

ସେଥିପାଇଁ ସତେକିବା ବୁଜିନେଲ

ତମ ନିଜ ଆଖି ।

ମୁକତିର ଗାନପାଇ

ଅଗ୍ନିଶିଖା ଦେହେ ଗଲ ମାଖି ।।

 

ଅବାଟ ଘାଟରେ ପଡ଼ି ମାଡ଼ଖାଇ

ପାଇଲ କଷଣ ।

ଦେଖିଲ ଆଖିରେ ନିଜ ନିଜ ଦେହେ

ଗୋଳା ବରଷଣ ।।

 

କେତେ ଲାଠି କେତେ ଗୁଳି

ତୁମକୁତ କରିଦେଲା ଚୁନା ।

ମାତର ହେ ସଖା ତୁମେ

ପୋଡ଼ି ପୋଡ଼ି ପାଲଟିଲ ସୁନା ।।

 

ଏ ଦେଶକି ଭୁଲିପାରେ

ଭୁଲିପାରେ ପାଣି ଓ ପବନ ।

ବଙ୍ଗଳାର ଗୋଡ଼ି ମାଟି

ବିଲ ବାଡ଼ି ବନ ଉପବନ ।।

 

ଭାରତ ମାଆର ତୁମେ

ସୁନାପୁଅ ତୁମେ ବୀର ଶିଶୁ ।

ଏ ଜାତିର ଇତିହାସେ

ତୁମେ ବନ୍ଧୁ କ୍ରୁଶ ବିଦ୍ଧ ଯୀଶୁ ॥

 

ତୁମେତ ଜାଳିଲ ନିଆଁ

ଜଳିଗଲ ତାହାରି ଭିତରେ ।

 

 

ମାତର ସେ ତେଜଥିବ

ଆମର ଏ ଅଭୁଲା ଗୀତରେ ॥

***

 

ଲାଲା ଉତ୍ତମଚାନ୍ଦ

 

ହାତ ଯୋଡ଼ ଭାଇ ହାତ ଯୋଡ଼

ତା’ର ଚରଣେ ନୁଆଁଅ ମଥା ।

କୋଟି ଜନତାର ପୂଜାର ପୁରୁଷ

ଭୁଲିବନି ତା’ର କଥା ॥

 

ନୁହେଁ ଏ ଦେଶର ନୁହେଁ ଏ ମାଟିର

ନୁହେଁ ସିଏ ଭାରତର ।

ନେତା ନୁହେଁ ଅବା ଜେତା ନୁହେଁ

ସିଏ ମଣିଷ ଏ ଜଗତର ॥

 

ହାଡ଼ କେଇଟାର ମଣିଷ ସେ ଥିଲା

ହିଆରେ ଅସୀମ ବଳ ।

ପରକୁ ଆପଣା କରିବା ଜାଣେସେ

ଶିଖିନି ନିପଟ ଛଳ ॥

 

କାବୁଳ ମାଟିର କାବୁଳୀ ବଣିକ

ଜାଣିଛି ଜୀବନ ମୂଳ ।

 

 

ମଣିଷ ପଣିଆ ମାଣିକ ମନରେ

କରିଛି ଯତନେ ଠୁଳ ॥

 

“ଆସ ଆସ ଆଜି ସୁବାସ ବାବୁହେ

ମୋ ଘରେ ପକାଅ ପାଦ ।

କଟିଯାଉ ମୋର କୋଟି ଜୀବନର

ଦୁରୁବହ ପରମାଦ” ॥

 

“ଆମେତ ଆସିନୁ ଲାଲାଜୀ ତମର

ଅତିଥି ହେବାର ପାଇଁ ।

ଲୁଟିଖିଆ ସେଇ ବଣିକ ଜାତିଟା

ପଛରୁ ଆସୁଛି ଧାଇଁ ॥

 

ରହମତ ଖାଁ ରହିଛି ସାଥିରେ

ଜରମାନୀ ଯିବୁ ବେଗେ ।

ସୁଭାଷ ଭାଷିଲେ ଗୋପନେ ଗୋପନେ

ଅତିଶୟ ଉଦବେଗେ ॥

 

ଅଳପ ଟିକିଏ ରହିଲେ ଆପଣ

ଆପେ ଆପେ ସବୁ ହେବ ।

 

 

ଦରକାର ଯଦି ଲାଲାଜୀ ତମର

ଆପଣା ଜୀବନ ଦେବ ॥

 

କିଛିଦିନ ରହି ସୁଭାଷ ଚାଲିଲେ

ଜରମାନୀ ଅଭିମୁଖେ ।

ଜାଣିଲେତ ନାଇଁ ଦେଖିଲେତ ନାଇଁ

ଲାଲାଜୀ ରହେକି ଦୁଃଖେ ॥

 

ଲାଲାଜୀ ସହିଲେ କାରାର କଷଣ

ପଥର ପାଚେରି ତଳେ ।

ଧମକ ଶୁଣିଲେ ବଣିକ ଜାତିର

ନୟନର ନିଆଁ ଜଳେ ॥

 

ନେତାଜୀ ରହିଲେ କାହିଁ ଦୂର ଦେଶେ

ଆଉତ ଫେରିଲେ ନାଇଁ ।

ହାତର ଶିକୁଳି ଫିଟାଇବ କିଏ

ଲାଲାଜୀ ଶୋଇଲେ କାହିଁ ॥

 

ମୁକତି ଭାରତ କହି କହି ଆମେ

ଆଜିତ କରୁଛୁ ପାଟି ।

ରଡ଼ି ପକାଉଛୁ, ଆମଦେଶ ବୋଲି

ଉଠାଇ ମୁଠିଏ ମାଟି ॥

 

ଲାଲାଜୀ ତମେକି ଏ ଦେଶରେ ଥିଲ

ତୁମେ ସବୁ ଜଗତର ।

ଆମେସିନା ଆଜି ଜାଣୁନୁ ତୁମକୁ

କରି ଦେଇଅଛୁ ପର ॥

 

ଆମ ଦେଶ ପାଇଁ ଆମଜାତି ପାଇଁ

ଥିଲା ସାହସର ନିଆଁ ।

ସେ ପାଉଁଶ ତଳୁ ଆମେ ତାକୁ

ଆଜି ଆଣିବାନି କହ କିଆଁ ?

***

 

ରହମତ୍ ଖାଁ

 

ବର୍ଲିନ ବେତାର କେନ୍ଦ୍ରେ, ଅଗ୍ନିବାହୀ ବାର୍ତ୍ତା କିଏ କହେ,

ଶୁଣ ଶୁଣ ରହମତ୍ ନିଶ୍ଚୟତ ଶୁଣିଥିବ ତୁମେ

ରାଜାଙ୍କ ନଅରେ ବସି ଶୁଣିଥିବେ ବ୍ରିଟିଶ କେଶରୀ,

ରୋମାଞ୍ଚିତ ଆସିଥିବ ଦେହସାରା ପ୍ରତି ଅନୁଲୋମେ ।

 

ତୁମେ କିଶ ଚିହ୍ନିଛ କହ ଦାଢ଼ି ଥିବା ଯୁବକ ବୁଢ଼ାକୁ,

କାବୁଲୀର ଗୋଳ ଧରି କାବୁଲରେ ଦେଇଥିଲା ଗୋଡ଼

ଏକସପ୍ରେସ୍ ଟ୍ରାମ୍ ବସ୍ ପୁଲିସର ଗୁଇନ୍ଦା ବିଭାଗ,

ଜାଣିତ ପାରିଲା ନାହିଁ ଏଲ୍‍ଗିନ୍ ନ୍ୟସ୍ତ ଗଳି ମୋଡ଼ ।

 

ରହମତ୍ ତୁମେ ସବୁ ଜାଣିଥିଲ କାହାକୁତ କହିଲନି କିଆଁ,

ମୁଠା ମୁଠା ଟଙ୍କା ସବୁ, ମାନପତ୍ର ଦାମିକା ଦରବ

ପାଇଥାନ୍ତେ, ତମର ଏ ବାହାଦୁରି ଗାଇ ଗୋରା ଲୋକେ,

ଛାପିଥାନ୍ତେ କାଗଜରେ ସମୁଚାରି ତମ ଗଉରବ ।

 

କାହିଁ କି ସହିଲ ତୁମେ କଳୁଷିତ କାରାର କଷଣ,

ଅମଡ଼ା ବାଟକୁ ମାଡ଼ି ଗୋଜା ଗୋଜା କଣ୍ଟା ଗହଣରେ

 

 

ଅନାହାର, ଉପବାସେ, ପ୍ରେକ୍ଷାଳୟେ ସରାଇ ଘରରେ,

କାହିଁକି ରହିଲ ଛାପି ବାଘ ଥିବା ବଣୁଆଁ ବଣରେ ।

 

କିସବା ତମକୁ ଦେଲା ରୋଟା ମୋଟା ଦାଢ଼ିଆ ବୁଢ଼ାଟି,

ନେତାତ ହେଲନି ତୁମେ ହେଲ ନାହିଁ କି ବା ବଡ଼ଲାଟ

ନାଆଁ ତ ପଡ଼ିଲା ନାହିଁ କାଗଜର ପ୍ରଥମ ପୃଷ୍ଠାରେ,

ଭୁଲିକି ରହିଲ ଦୂରେ ଦିଲ୍ଲୀକୁ ଯେ ପଡ଼ିଅଛି ବାଟ ।

 

ମୁକତି ମଶାଲ ଯିଏ ଜାଳିଥିଲେ ଏ ଦେଶରଛାତି,

ଆମେତ ଖୋଜୁଛୁ ଆଜି ପଡ଼ିଥିବା ପାଉଁଶ ନିଖାରି

ସେମାନେ ରହିଲେ କାହିଁ ଅଜାଣତେ ଅଜଣା ଜାଗାରେ,

ଜୀବନ ଯେ ଦେଇଥିଲେ ଆପଣାର ଛାତିକୁ ବିଦାରି ।

 

ରହମତ ତୁମେ ସବୁ ଏ ଜାତିର ଉଜ୍ଜ୍ଵଳ ପୁରୁଷ,

ବଞ୍ଚିଥାଅ ଆମ ମନେ, ବଞ୍ଚିଥାଉ ଆମର ବିସ୍ମୃତି

ଭାରତ ଜନନୀ କଣ୍ଠେ ହୁଅ ତୁମେ ଗଜମୋତି ମାଳା,

ବିସ୍ମୃତିର ଅନ୍ତରାଳେ ଉଜ୍ଜୀବିତ ହେଉ ତୁମ ସ୍ମୃତି ।

***

 

ନେତାଜୀ ସୁଭାଷ ଚନ୍ଦ୍ର ବୋଷ

 

ତମର କି ପଡ଼ୁଅଛି ମନେ ?,

ମଳୟ ଗୁମୁରି ଉଠେ ଯେବେ ସେଇ ମାଳୟର ବନେ ।

 

ରେଙ୍ଗୁନ୍ ଆକାଶ,

ଫାଟି ତ ପଡ଼େନା ଶୁଣି କ୍ରାନ୍ତିକାରୀ ଆଗ୍ନେୟର ସଂଭାଷ ॥

 

“ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ, ଜୟହିନ୍ଦ ଜୟହିନ୍ଦ ଭାଇ”,

“ମାରିବା ନିଶ୍ଚୟ ଆମେ ମରିବା କିପାଇଁ ?”

 

ବୀର ମାଟି ପରିଚିତ ସେଇ ବାରବାଟୀ,

ତୁମକୁ ତ ଝୁରି ମରେ—ଛାତି ଯାଏ ଫାଟି ।

 

ସେ ଦିନର କଥା ସବୁ ଲାଗେନା କି ଆଜିକାର ଭଳି ?

ଓଡ଼ିଆ ଦେଶର ପାଣି, ଚାଟଶାଳୀ, କଟକର ଗଳି ।

 

ବର୍ଲିନର ଗୁପ୍ତ ବାସ ଆଲିପୁର କାରାର ଆତଙ୍କ,

ବର୍ମାର ବିଚିତ୍ର ବଣେ ଅଲିଭା ସେ ତୁମର ପଦାଙ୍କ !

 

 

 

ସିଙ୍ଗାପୁର ସୈନ୍ୟ ମେଳେ ସତେ ତୁମେ କହୁଛ କି କଥା,

ବହ୍ନିର ପ୍ରବାହେ ଧରି ଏ ଜାତିର ସମୁନ୍ନତ ମଥା ?

 

“ନେତାଜୀ ଅଛନ୍ତି ଅବା ନାହାନ୍ତି ସେ ଆଉ”,

ଏ ରହସ୍ୟ କେ’ ବୁଝିବ ? ଆଚ୍ଛା ଛାଡ଼, ଏ ରହସ୍ୟ ଥାଉ ।

 

‘ଲାଲାଜୀ କହିବ ତୁମେ ? ରହମତ୍, ପ୍ରମାଣ ଦେବକି ?,

ମୁଁ କହୁଛି, ଅଛନ୍ତି ସେ, କେ’ ଚାହୁଁଛି, ପ୍ରମାଣ ନେବ କି ?

 

ଅଛନ୍ତି ସେ, ରହିବେ ବି ଯୁଗ ଯୁଗ ଧରି,

ବିତିବ ଏମିତି କେତେ ଅଗ୍ନିବାହୀ ଦିବସ ଶର୍ବରୀ ।

 

ଦେଖିବାକୁ ଚାହଁ ଯଦି ଆସ ଥରେ ମାଳୟର ବନେ,

ପେନାଙ୍ଗ ବନ୍ଦରେ ଅବା ବାହାଦୁର ସମାଧି ଶୟନେ ।

 

ପ୍ରଶାନ୍ତର ସୀମାପାରେ ଅବା ସେଇ ଦୂର ଚାଇନାରେ,

ଆଲିପୁର କାରାଗାରେ ଥିବା ସେଇ ସଫା ଆଇନାରେ ।

 

ସାହସ ସାଧନା ନେଇ ତୁମେ ଯେଉଁ ଜାଳିଗଲ ନିଆଁ,

ପାଉଁଶ ତଳେ ତା’ ଆଜି ମୁଗ୍‍ଧ ନେତ୍ରେ ଦେଖୁଛି ଦୁନିଆଁ ।

 

ସେ ଆଲୋକ ଘେନି ଆମେ ଆଗେଇବୁ ଧରି ତୁମ ପଥ,

ତମରି ଏ ଜନ୍ମଦିନେ ଆମର ଏ ଦୁରନ୍ତ ଶପଥ !

 

ନମସ୍କାର ଘେନିବ ନେତାଜୀ,

ଦିଲ୍ଲୀ ଚଲୋ ପ୍ରତିଧ୍ଵନି ଉଜ୍ଜୀବିତ କରେ ପ୍ରାଣ ଆଜି !

***

 

ମୋହନଦାସ କରମଚାନ୍ଦ ଗାନ୍ଧୀ

 

ଆଣ୍ଠୁ ଯାଏ ଖଦିକନା କେଇଖଣ୍ଡ ହାଡ଼ର ଶରୀର,

ପାଚିଲା ବହଳ ନିଶ-ପାଦେ ଚଟି ଏ ଦେଶ ମୋଚିର ।

 

ଆଣ୍ଠୁ, ଛୁଆଁ ଲମ୍ବା ହାତ–ରଘୁପତି ରାଜାରାମ ମୁଖେ,

ହୃଦୟ ସାଗର ତଳେ ସ୍ନେହ ଜଳେ ଅତି ସୁଗଭୀର ।

 

ମାମୁଲି ମଣିଷ ସିନା ମମତାରେ ସ୍ନିଗ୍‍ଧ ଓ ମଧୁର,

ଠେଲିଦେଲେ ପଡ଼ିଯିବ ମାତ୍ର ଥିଲା ଶତ ସିଂହ ବଳ ।

 

ନିଶ୍ୱାସରେ ଦମ୍ଭ ନାହିଁ ସୃଜିପାରେ ବତାସ ପ୍ରବଳ,

ମାଳା ତ ଜପେନା ମାତ୍ର ଗୁରୁ ସିଏ ସହସ୍ର ସାଧୁର ।

 

କୁଡ଼ିଆ ବୋଇଲେ ଖଣ୍ଡେ ଆପଣାର ନଥିବତ ସତେ,

ରାଜାଙ୍କ ନଅର କିନ୍ତୁ ତା’ ପାଦର ଧୂଳି ମାଖେ ନିତି ।

 

ଷାଠିଏ ମହଲା କୋଠା ଗାଏ ତା’ର ନାମେ ଜୟଗୀତ ,

ମାଟିର ମଣିଷ ସିଏ ଅମର ଏ ମାଟିର ମରତେ ।

 

 

 

କଣ୍ଠେ ତାର ଭାଷା ନାହିଁ ପାଟି କରିପାରେନା ତ କହି,

ତଥାପି ବେତାର ଯନ୍ତ୍ର ବାଜିଉଠେ ତା’ ମଧୁର ସ୍ଵରେ ।

 

ତୋଳିନି ସେ ଧର୍ମଶାଳା ଦେବାଳୟ ମନ୍ଦିର ବିଶ୍ଵରେ,

ମାତ୍ର ସେତ ପୂଜା ପାଏ ଏ ବିଶ୍ୱର ଘରେ ଘରେ ରହି ।

 

ତା’ ଘରେ ଦାନା ନାହିଁ ନାହିଁ ପୁଣି ପିନ୍ଧିବାକୁ କନା,

ହାତରେ ପଇସା ନାହଁ ଧାନ ନାହିଁ ଅମାର ଘରରେ ।

 

ତଥାପି ଦେଇଛି ସିଏ ଦାନା କନା ନଥିଲା ନରରେ,

କାଟି ପିନ୍ଧି କୁଟି ଖାଅ କହି କହି ହରିଛି ବେଦନା ।

 

ନଥିଲା ତା’ ହତିଆର ବନ୍ଧୁକ ବା ବାରୁଦ କମାଣ,

ବିରାଟ ବାହିନି ନାହିଁ ନାହିଁ ସେନା ସେନାପତି ଦଳ ।

 

କିନ୍ତୁ ଥିଲା ହାତେ ତା’ର ସୀମାହିନ ଶକତି ପ୍ରବଳ,

ସତ୍ୟ ଓ ଅହିଁସା ଧରି ଦେଇଛି ସେ ଯୁଦ୍ଧର ପ୍ରମାଣ ।

 

ଜଣକର ପୁଅ ସିଏ, ବାପା ତାକୁ ଦେଇଛି ଧମକ,

ପୁଅ ବୋଲି ଡାକି ଦେଲେ ଲାଜେ ଯା’ର ନଉଁଥିଲା ମଥା ।

 

ବାପୁ ବାପୁ ବୋଲି ଆଳି କୋଟି କୋଟି କଣ୍ଠ କହେ କଥା,

ସେ ଆଜି ଜଗତେ ଜଣା ଏ ବିରାଟ ଜାତିର ଜନକ ।

 

ଫକୀର ହୋଇଛି ସିଏ ବସିଅଛି ରାଜେନ୍ଦ୍ର ଆସନେ,

ବିରଳା ଭବନଠାରୁ ବିଲାତର ରାଜାଙ୍କ ନଅର ।

 

ତା’ ଖବର ରଖୁଥିଲା ତା’ ଦିନରେ ଟୋକିଓ ସହର,

ଉଜ୍ଜୀବିତ ସିଏ ଆଜି ସଂଧ୍ୟା ଦୀପେ ନାରୀ କଣ୍ଠ ସ୍ଵନେ ।

 

ଆହତ ଜନର ନେଇ ଲୁହ ଲହୁ ଜାଳିଲା ସେ ନିଆଁ,

ସେ ନିଆଁରେ ଜଳିଗଲା ପାଲଟିଲା ତା' ଦେହ ପାଉଁଶ ।

 

ସେ ପାଉଁଶ ବୋଳିହୋଇ କଙ୍କାଳତା ସାଜେ ନୂଆ ବେଶ,

ଚକିତେ ଚାହିଁଲା ଦେଖି ଚମକିତ ଚକିତ ଦୁନିଆଁ !

***

 

Unknown

ଲୁହାର ମଣିଷ ପଟେଲ

 

ମଣିବେନ୍ ଆଉ କାନ୍ଦନା ତୁମେ ବାପାତ ଗଲେଣି ଚାଲି,

ଉଜଳାଇ ଗଲେ ମାଟିର ଭାରତ ଆପଣାକୁ ଦେଇ ଜାଳି ।

 

ବିମାନ ଘାଟିରୁ ନେହେରୁ ଫେରିଲେ ନତକରି ନିଜ ମଥା,

ରାଜେନ୍ଦ୍ର ବାବୁ କୋହ ଆବେଗରେ କହିପାରିଲେନ କଥା ।

 

ଲୁହାର ମଣିଷ ନାହିଁରେ ନାହିଁରେ ବେତାର କହିଲା ବାଣୀ,

କୋଟି ଖଟିଖିଆ ମାଟିର ମଣିଷ ନୟନୁ ବୋହିଲା ପାଣି ।

 

ଛାତିର ଧଡ଼କ କମାଇ ରଜାଏ ମାରିଲେ ଅଳସ ହାଇ,

ଭଲହେଲା ଗଲା ଅଡ଼ୁଆ ଲୋକସେ ବିଜୟୀ ପଟେଲ ଭାଇ ।

 

ମଣିଷ ସିନା ସେ ଲୁହାର ଛାତି ତା’ ଜାଣିଛି ଜୀବନ ଭାଉ,

ମଣିଷ ମନର କଥା ବୁଝିବାରେ କିଏ ବୁଝାଇବ ଆଉ ।

 

ଅଜଣା ଅଛିକି ଖଜଣା ବଢ଼ିବା ପରଜା ଉଠିଲେ ମାତି,

ସରକାରୀ ଲୋକେ ଦଉଡ଼ି ବୁଲିଲେ ସତେକି ପାଗଳ ହାତୀ ।

 

 

 

ପଟେଲ କଥାରେ ଚଷାଏ ଉଠିଲେ ବଡ଼ ଦୋଲି ତାଲୁକାରେ,

ଠିକ ମାନିବନା ପାଗଳ ହାତୀଟା ମାଡ଼ ନ ଖାଇଲେ ବାରେ ।

 

ବଢ଼ି ମରୁଡ଼ିରେ ଦୁଃଖି ଲୋକପାଇଁ ଚୂଡା ଓ ଚାଉଳ ଧରି,

ଗୁଜରାଟ ଦେଶେ କିଏ ବୁଲୁଥିବ ପଟେଲ ଭାଇର ପରି ।

 

ରାଜା ରାଜୁଡ଼ାର ରାଜୁତିରେ ପଡ଼ି ଦେଶକି ଯିବରେ ଖସି ,

ଆମେ ଖାଲି ଏଠି କଥା ଗପୁଥିବା ବିଧାନସଭାରେ ବସି ।

 

ରାଜା କେହି ନୁହେଁ ପରଜା ସଭିଏଁ ଗୋଟିଏ ଶାସନ ତଳେ,

ଭାରତ ମାଆର ସଭିଏଁ ପୁଅତ ବଳବାନ ନିଜବଳେ ।

 

ଅସହଯୋଗରେ ସହଯୋଗକରି ବାପୁଜୀଙ୍କୁ କଲ ଗୁରୁ,

ସହଯୋଗହୀନ ଦେଶକୁ ତମର ଦେଖୁଛକି ତମ ପୁରୁ ?

 

ଦେଶଜାତି ପାଇଁ କଅଁଳ ଛାତିତ ଲୁହା ପାଲଟିଲା ସତେ,

ଗୋରା ସରକାର ନିଆଁ ବିଛାଇଲେ ତୁମର ଚାଲିବା ପଥେ !

 

ସେ ନିଆଁରେ ଚାଲି ଦେଖାଇ ଦେଲ ତମ ସାହସର ବଳ,

ତୁମ ବିନା ସତେ ପଟେଲ ବାବୁ ହେ ଅଚଳ ଶାସନ କଲ ।

 

ଦେଶ ବି ଝୁରିବ, ଆମେ ଝୁରୁଥିବୁ, ଝୁରିବ ଭାରତ ମାଆ,

ଗୁଜରାଟ ଦେଶେ ଝୁରୁଥିବେ ଲୋକେ ଝୁରିବ ବତାସ ବାଆ ।

 

ମରଣ କାଳରେ ଝବେରବା ଝୁରି ମରିଥିବେ ତୁମ ପାଇଁ,

ଛାତି ଲୁହାକରି ରହିଗଲ ଯେଣୁ ତୁମେହେ ପଟେଲ ଭାଇ ।

 

ମୁକତି ସମରେ ସରଦାର ତୁମେ ପାଉଁଶ ତଳର ନିଆଁ,

ଆଗୁଆ ଦଳର ସେନାପତି ତୁମେ ଆସୁନାହଁ ଏବେ କିଆଁ ?

***

 

ଶ୍ରୀ ଜବାହାରଲାଲ ନେହେରୁ

 

ରାମର ଅନୁଜ ନୁହେଁ ସିଏ ଭାଇ ଦୁହେଁ ଭୀମ‘‘ଭାରତର”,

କୀଚକର ଦଳ ଘଉଡ଼ାଇ ଦେଇ ‘ଭୀମ’ ସିଏ ଭାରତର ।

 

ଏଡ଼େ ଦେଶଟାର ରଜା ସିଏ ଆଜି ମଥାରେ ମୁକୁଟ ନାଇଁ,

ମଣି, ମାଣିକର ମୁକୁଟ ତଥାପି ପାଦତଳେ ଯାଏ ନଇଁ ।

 

ଯା’ କରୁଣା କଣା ପାଇବାକୁ ଆଜି ଦୁନିଆଁ ଚାହିଁଛି ବସି,

ମଳିନ ଏ ମାଟି ଉଲସିଉଠଇ ସରୁ ହସ ଦେଲେ ହସି ।

 

ଗୋରା ସରକାର ଅଟକ ରଖିଲେ କରିବନି ବୋଲି ମେଳି,

ବିଜୁଳି ଛଟକେ ବାରତା ତାହାର କଟକେ ତ ଗଲା ଖେଳି ।

 

ସାହେବୀ ଦିନର ମାନ ସନମାନ ଆଉ ଯେତେ ଗଉରବ,

ମୁକତି-ଆନନ୍ଦେ ଆହୁତି ଢାଳିଲା ତେଜି ଆପଣା ସରବ ।

 

କାମିନୀ କନକ ବରଜି ଧାଇଁଲା ଜାତିର ଜନକ ସହ,

ତାହାରି ନାଆଁ କି ଜାଣିବ ହେ ଭାଇ ପଚାରୁଛି ଆଜି କହ ?

 

 

 

କୋଟି କୋଟି ପାଟି ଗୋଟିଏ ତାନରେ ଜୟଗାନ ଯା’ର ଗାଏ,

ହିମାଚଳଠାରୁ କୁମାରିକା ଯାଏ ଯା’ ପଦ ପରଶ ପାଏ ।

 

ଜଗତେ ଶୁଣାଏ ଆଶାର କାହାଣୀ ଗରିବର ଶୁଣେ କଥା,

ଦୁନିଆ ଦୁଆରେ ଠିଆହୋଇ କହେ ଟେକିବାକୁ ଦେଶ-ମଥା ।

 

ଦରଖିଆ ଆମ ଗରିବ ଦେଶର କୋଟିଏ ଜନର ଗୁରୁ,

ଜନମ ଦିନେ ତା’ ‘ଜୁହାର’ କରୁଚୁ ଆମେ ଏଇ ବହୁ ଦୂରୁ ।

 

ନେହେରୁ ଆମର ରଜା ଆଜି ତା’ଙ୍କ ମଥାରେ ମୁକୁଟ ନାଇଁ,

କୋଟିଏ ରଜାର ମୁକୁଟ ତଥାପି ତା’ ପଦେ ଯାଇଚି ନଇଁ ।

***

 

ବାଲ-ଗଙ୍ଗାଧର ତିଳକ

 

“ମାଗିଲେକି କେବେ ମିଳଇରେ କହ ସ୍ଵାଧୀନତା,

ତୁହାଇ ତୁହାଇ ପାଟିକରି କହେ ଏଇ କଥା ।

 

ଏ ଦେଶ ମାଟିରେ ଚେରେଇ ଗଲାଣି ବିଷ ଗଛ,

ଡାଳ ମେଲେଇଲା ନ ବୁଝି ବିଚାରି ଆଗପଛ ।

 

ସେଇ ବିଷ ଗଛ କାଟିବାକୁ ହେବ ଶୁଣ ଭାଇ,

ଡାକତ ଶୁଭିଲା, ଯେ’ ଶୋଇଛି ସେତ ଶୁଣେ ନାଇଁ ।

 

ଚେଇଁଥିଲା ଯିଏ ତା’ କାନରେ କଥା ଗଲା ବାଜି,

ଗୋରା ସରକାର ଆଖି ଦେଖାଇଲେ କହି ପାଜି ।

 

ପାଣି ତଳେ ରହି ମଗର ସହିତ କରେ କଳି,

କହ କିଏ ସତେ ସେ ଦିନରେ ଦିନେ ପାରେ ଚଳି ?

 

ସ୍ଵାଧୀନତା ଆମ ଲୁଟି ଆଣିବାକୁ ହେବ ଆରେ,

ରାଜି ହେବ କିଏ ଦେବାକୁ ଅଥବା ମରିବାରେ ?

 

 

 

ଏଇ ମହାବାଣୀ ‘କେଶରୀ’ ମୁଖରେ କହିଗଲେ,

ଜାଗରଣଟାକୁ ଦବାଇ ଦେବାକୁ କଳେ ବଳେ ।

 

ଜେଲ ପଠାଇଲେ ତିଲକକୁ ଗୋରା ସରକାର

ଶିବାଜୀ’ ଦେଶର ବଣ ପାହାଡ଼ରେ ବାରବାର ।

 

ସେଇ ଜାଗରଣ ଖେଳିଗଲା ଦୂରେ ବହୁ ଦୂରେ,

ମାତିଗଲେ ସବୁ ନରନାରୀ ପ୍ରତି ଘରେ ଘରେ ।

 

ରତନ ଗିରିର ରତନ ଲାଗିଲେ ଦେଶ ପାଇଁ ,

ଧନ ସନମାନ, ବଡ଼ ପଦ ପ୍ରତି ଲୋଭ ନାଇଁ ।

 

ଜାତି ସାମନାରେ ହାତୀ ନୁହେଁ ବଡ଼ କହିଗଲେ,

ସବୁ ଦୂରଦଶା ହାକିମ ହୁକୁମେ ସହିଗଲେ ।

 

କହୁଥିଲେ ସିଏ କାମ କର ଖାଲି କର କାମ,

କାମଠାରୁ ବଡ଼ ନୁହେଁ ଜାଣ ଭାଇ ରାମ ନାମ ।

 

ଏ ଜାତିର ସିଏ ମଥାର ତିଳକ, ନୂଆ ଜ୍ୟୋତି,

ଦେଶ ଜନନୀର କୋମଳ କଣ୍ଠେ ହୀରା ମୋତି ।

 

ଛାତି ତଳେ ତା’ର ଥିଲା ଯେଉଁ ନିଆଁ ସାହସର,

ଆଜି ଏଇ ଦେଶ ସେ ସାହସ ପାଇ ହେଉ ବଡ଼ ।

***

 

ବିପ୍ଳବୀ ରାସ ବିହାରୀ

 

ଆଜିସିନା ଦେଶ ମୁକତି ପାଇଛି ଭୋଗୁଅଛୁ ଆମେ ସୁଖ,

ଆମ ସୁଖ ପାଇଁ ଲଢ଼ିଗଲେ କେତେ ଜୀବନକୁ ଦେଇଦୁଃଖ ।

 

ଗୋରା ସରକାର କେତେ କଣ କଲା ଏ ଦେଶରେ ଦେବା ପାଦ,

ଭାଇକୁ ବଇରୀ, ବଇରୀକୁ ଭାଇ ପ୍ରତିଘରେ ରଚିବାଦ ।

 

ଏ ଦେଶ ଅଙ୍ଗ ଭାଙ୍ଗିବି ଦେଲା ଲୋକେ ଯିବେ ବୋଲି ଡରି,

ବଙ୍ଗଳା ହେଲା ବେନିଭାଗ ସିନା ବଙ୍ଗବାସି ଗଲେ ଥରି ।

 

ଏ ଜାତିର ଛାତି ଦୁଇଫାଳ କରି ଦେବନି ଏ ଦେଶବାସୀ,

ବଙ୍ଗ ମାଟିରେ ରକତ ରଙ୍ଗ ସାରାଦେଶ ଯାଉ ଭାସି ।

 

କୋଟିଏ କଣ୍ଠ ଚିତ୍କାର କଲା, ସରକାରୀ ଗୁଳି ଲାଠି,

ପାରିଲାନି ଆଉ ସେ ଶବଦ ରୋକି ଡାକିଲା ବଙ୍ଗମାଟି ।

 

ବହୁବୀର ବହୁ ଏଦେଶର ନେତା ବିପ୍ଳବେ ଦେଲେ ଯୋଗ,

ରାସ ବିହାରି ସେ ମାଆ ମାଟି ପାଇଁ ସହିଲେ ଦୁଃଖ ଭୋଗ ।

 

 

 

ନେତାଜୀ ଆଗରୁ ରାହାସ ବିହାରି ଗଢ଼ି ଏକ ସେନାବଳ,

ଗୋରା କେଶରୀର ଶିରୀ ଲୁଟିବାକୁ ଗଡ଼ୁଥିଲେ ନାନାଦଳ ।

 

ଘୋଷଣା କରାଇ ଏଇ ଦେଶ ସାରା ଜଣାଇଲେ ସରକାର ।

 

ଏ ଦେଶ ବାହାରେ ଭିତରେ ଲାଗିଛି ନାନା ଦେଶ ନାନା କଳି

ବହୁଜାତି ବହୁ ଦେଶେ ଲାଗିଅଛି କଳିଗୋଳ ଦଳାଦଳି ।

 

ଊଣେଇଶ ବୟାଳିଶ ସମୟକୁ ଉଠୁଛି ପଡ଼ୁଛି ଦେଶ,

ରାହାସ ବିହାରି ପାଚିଲା ବୟସେ ସାଜେ ବିପ୍ଳବୀ ବେଶ ।

 

ଏ ଦେଶୁ ବାହାରି ବାହାରକୁ ଗଲେ ଦେଶର ମୁକତି ପାଇଁ,

କିମିତି ସେ ଗଲେ କେଉଁଠି ରହିଲେ କେହିତ ଜାଣିଲେ ନାଇଁ ।

 

କଲିକତାଠାରୁ ଜାପାନକୁ ଗଲ ଜାହାଜ ‘ସାନୁକୀମାରୁ’,

ଧରାପଡ଼ିଲେନି ରବିକବି ଘର ଲୋକ ବୋଲି କହିବାରୁ ।

 

ବହୁ ଆଗୁ ସିଏ ଭାରତ ବାହିନୀ ଗଢ଼ିଥିଲେ ସେନାଦଳ,

ସେ ସେନାଦଳର ନେତାହେଲେ ପରେ ନେତାଜୀ ଦେଖାଇ ବଳ ।

 

 

 

ନେତାଜୀ ଆଗରୁ ରାହାସ ବିହାରି ଜାଳିଥିଲେ ଯେଉଁ ଜୁଇ,

ସେ ଜୁଇରେ ସିଏ ଜୀବନ ଜଳାଇ ଛାଡ଼ିଥିଲେ ନିଜଭୂଇଁ ।

 

ଯେତେବେଳେ ହେଲା ଦେଶ ସୁଆଧୀନ ଟେକିଲା ମଥା ଏ ଦେଶ,

ପାରିଲେନି ଦେଖି ଜୀବନେ ସେମାନେ ଆମ ସୁଆଧୀନ ଦେଶ ।

 

ଏ ଜାତି ମାଉଁସ ପାଉଁଶ ହେଲାକି ନିଆଁଥିଲା ତାହା ତଳେ,

ଯୁଗ ଯୁଗ ଧରି ସେ ନିଆଁର ତେଜ ଭାରତ ଭୂଇଁରେ ଜଳେ ।

***

 

ରାଜେନ୍ଦ୍ର ପ୍ରସାଦ

 

ଭାରତର ରତନ ସେ ଯତନରେ ପାଳିଚି ଏ ଦେଶ,

ଘରେ ଘରେ ଜଣା ସିଏ, ଜାଣେ ସିଏ ଦେଶର ସନ୍ଦେଶ ।

 

କୋଟି କୋଟି ନର ନାରୀ ନ ଦେଖିବି ଚିହ୍ନନ୍ତି ତାହାକୁ,

ବଡ଼ ଭାଗ୍ୟବାନ ସିଏ ତା କରୁଣା ପଡ଼ଇ ଯାହାକୁ ।

 

ଭାରତର ରାଜା ସିଏ ମୁକୁଟ ତା' ମଥାପରେ ନାଇଁ,

ସବୁ ରାଜା ପରଜା ତା’ କାମ କରେ ରାଜା ପ୍ରଜା ପାଇଁ ।

 

ଯେଉଁଠି ତା ପାଦ ପଡ଼େ ଫୁଲ ଫୁଟେ ଅସୀମ ଉଲ୍ଲାସେ,

ଦୂର ହୁଏ ଦୁରଦଶା ଏ ଦେଶରୁ ତା ମଧୁର ହାସେ ।

 

ରାଜା ବାବୁ ରାଜା ବାବୁ ଡାକୁଥାନ୍ତି ବନ୍ଧୁ ପରିଜନ,

ରାଇଜର ରାଜା ବୋଲି ମନେତାର ନାଇଁ ଅଭିମାନ ।

 

ମାମୁଲି ମଣିଷପରି ଜୀବନର ସୁଖ ଦୁଃଖ କାଟେ,

ସେ ଜାଣିଚି ଚାଲିବାକୁ ବାପୁଜୀର ସତ୍ୟପୂତ ବାଟେ ।

 

 

 

କୋଡ଼ ପୋଛା ପୁଅ ସିଏ ଜନନୀର ଅତି ଆଦରର,

ପଢ଼ିଲା ଗୁଡ଼ାଏ ପାଠ ଦେଶ ଲୋକେ ଦେଲେ ସମାଦର ।

 

ବାପୁଜୀ ପରଶ ପାଇ ଜୀବନର ଗତିକଲେ ଆନ,

“ଅସହଯୋଗ” ରେ ମିଶି ଛାଡ଼ିଦେଲେ ଯଶ ଧନ ମାନ ।

 

ଥର ଥର ଜେଲ ଗଲେ ପୁଲିସର ଖାଇ ଲାଠି ମାଡ଼,

ଭାଙ୍ଗିଲେନି ଦେଶ ଲୋକେ, ଭାଙ୍ଗିଲାନି ଦେଶ ଜାତି-ହାଡ଼ ।

 

ସତ୍ୟ ପଥେ ଧର୍ମ ପଥେ ଚାଲିବାକୁ କହିଲେ ବାପୁଜୀ,

ମାନିଲେ ସକଳ ନେତା ବାପୁଜୀଙ୍କର ପୂଜ୍ୟ ପଦ ପୂଜି ।

 

ରାଜା ବାବୁ ଭକ୍ତ ଥିଲେ, ପ୍ରିୟ ଥିଲେ ଜାତି ପିତାଙ୍କର,

ଦେଶ ପାଇଁ କଲେ କାମ, ସବୁ କାମ ହେଲା ଶୁଭଙ୍କର ।

 

ବହୁ ବାର ହେଲେ ସିଏ କଂଗ୍ରେସର ପ୍ରିୟ ସଭାପତି,

ସରକାର ବ୍ୟସ୍ତ ହେଲେ ନିରନ୍ତରେ ବଗିଡ଼ିଲା ମତି ।

 

ନେତାଙ୍କୁ ଗିରଫ କଲେ ଫିଙ୍ଗିଦେଲେ ଦୂର କାରାଗାରେ,

ଗୁଳି ଲାଠି ବନ୍ଧୁକରେ କମ୍ପାଇଲେ ସହର ବଜାରେ ।

 

ଦେଶତ ମାନିଲା ନାଇଁ, ଜଳିଗଲା ଦେଶସାରା ନିଆଁ,

ଦେଶର ସକଳ ଜନ ସେ ନିଆଁରେ ପକାଇଲେ ଡିଆଁ ।

 

ଅନାଟନ, ମହାମାରୀ, ଭୂମିକମ୍ଫ ପ୍ରବେଶିଲା ଦେଶେ,

ରାଜା ବାବୁ ସେବା କଲେ, ଭିକ୍ଷା କଲେ ଖାଣ୍ଟି ଭିକ୍ଷୁ ବେଶେ ।

 

ସରକାର ଥକିଗଲେ ଦେଶ ଛାଡ଼ି ପଳାଇଲେ ଦୂରେ,

ଆନନ୍ଦର ପ୍ରତିଧ୍ୱନି ଖେଳିଗଲା ପ୍ରତି ପଲ୍ଲୀ ପୁରେ ।

 

ନୂଆଁ ଦେଶ ନୂଆଁ ରାଷ୍ଟ୍ର ଗଢ଼ାହେଲା ପରାଧୀନ-ରାତି,

ପାହିଗଲା, ରାଜାବାବୁ ଏ ଦେଶର ହେଲେ ରାଷ୍ଟ୍ରପତି ।

 

ଯେତେବେଳେ ଦେଶ ଲୋକେ ଗୋରା ଲୋକ ଦେଖି ନୟନରେ,

ଧାଇଁ ଯାଇ ଜୀବନର ବିକଳରେ ଲୁଚୁଥିଲେ ଘରେ ।

 

ସେତେବେଳେ ରାଜା ବାବୁ ଜାଳିଲ ଯେ ସାହସର ନିଆଁ,

ତୁମ ପାଇଁ ଆଜି ଦେଶ ଧନ୍ୟ ଧନ୍ୟ କହିବନି କିଆଁ ?

***

 

ବିପ୍ଳବୀ ସାବରକର

 

ଶିବାଜୀ ଦେଶର ପୁଅ ସିଏ ତା'ର ମନରେ ଅସୀମ ବଳ,

କିମିତି ସହିବ ଯାହାକଲେ ଆସି ଏ ଦେଶ ବଣିକ ଦଳ ।

 

ବିଲାତକୁ ଗଲେ ପଢ଼ିବା ପାଇଁକି ସକଳ ଆଇନ ପାଠ,

ବେଆଇନ ଭାବେ ବିପ୍ଲବ ନିଆଁ ପାଇଁ ସଜାଇଲେ କାଠ ।

 

ହାତ ବୋମା ହାତେ ତିଆରି କଲେ ସେ ଶିଖିଲେ ସେ କଉଶଳ,

ନୂଆ ଜାଗରଣ ଆଣୁଥିଲେ ଦେଶେ ‘ଲାଲ, ପାଲ ଆଉ ବାଲ ।

 

ଗୋରା ସରକାର ଜାଣିଲେ ସେ କଥା ଖୋଜିଲେ ଅନେକ କରି,

ବିଲାତରେ ଆଉ ପାଇବ କିଏ ସେ ଥିଲେ ସିଏ ଯାଇ ‘ପାରୀ’ ।

 

ଫରାସୀ ପୋଲିସ ଖୋଜିଲା ଅନେକ ସିଏ ସୁନା ପୁଅ ଭଳି,

ବିଜୁଳି ଛଟକେ ବିଲାତ କଟକେ ଅଜାଣତେ ଗଲେ ଗଳି ।

 

ବିଲାତରୁ ନିଜ ଦେଶ ଆସିବାକୁ ବାହାରିଲେ ଗୋପନରେ,

ପଡ଼ିଗଲେ ଧରା ଖୋଜୁଥିବା ଗୋରା ସଇନର ନୟନରେ ।

 

 

 

କଇଦୀ ହେଲେ ସେ ଜାହାଜ ଉପରେ ଜଗୁଆଳୀ ସେନା ଥାଇ,

ଜାହାଜ ଝରକା ଡେଇଁ ପଳାଇଲେ ପାଣିକୁ ବି ଡର ନାଇଁ ।

 

ଫରାସୀ ଦେଶର ସାଗର କୂଳରେ ଅଣାହେଲେ ହୋଇ ଧରା,

ବିଚାର ଶେଷରେ ବରଣ କଲେ ସେ ଆଜୀବନ ପାଇଁ କାରା ।

 

ବରଷ ବରଷ ଗଣି ଅଠାଇଶ କାରାଗାର କଲେ ବାସ,

ଦେଶ ଜାତି ପାଇଁ ଜଳିଲା ଜୁଇରେ ଜୀବନକୁ ଦେଲେ ଝାସ ।

 

ଶିବାଜୀ ଦେଶର ସେଇ ପୁଅ କିଏ ? କେଉଁଠି ତାହାର ଘର,

ଜାଣିଛକି ପିଲେ କିଏ ଥିଲା ସେଇ ବିନାୟକ ଦାମୋଦର ।

 

ଜାତି ପାଇଁ ତାର ମରମେ ମରମେ ଜଳୁଥିଲା ରଡ଼ ଜୁଇ,

ଅରପି ଦେଲା ତା' ଜୀବନ ହେବାକୁ ମୁକତି ଭାରତ ଭୂଇଁ ।

 

ବିନାୟକ ହୋଇ ଦେଶର ନାୟକ ହେବାକୁ ଥିଲା ତା ମନ,

ସେଇଥିପାଇଁ ସେ ଛାଡ଼ିଦେଲା ସବୁ ମାନ ସନମାନ ଧନ ।

 

ପାଣି ତଳେ ରହି ମଗର ସହିତ ଯୁଟିବାକୁ ଛୋଟ କଥା,

ବିଲାତ ନଗରେ ବିଚାରିଲେ ସିଏ କାଟିବାକୁ ଗୋରା ମଥା ।

 

ନାଇଁ ସିଏ ଆଜି ଦେଶ ମାଆ କୋଳେ, ଜନନୀର ଆଖି ଲୁହ,

ଧନ୍ୟ ସେ ଦେଶ ଜନନୀ ! ଯେଉଁଠି ଜନମେ ଏପରି ପୁଅ !

***

 

ଜୀବରାମଜୀ କଲ୍ୟାଣୀ

 

ସେ କେଉଁ ମୋହନ ମୂରଲି ବଜାଇ ମନକୁ ରଖିଲା ବାନ୍ଧି,

ଦେଶ ଚାରିଆଡ଼େ ଜନତା ଡାକିଲେ “ଗାନ୍ଧି ହେ ଜୟ ଗାନ୍ଧି” ।

 

ଧନିକ, ବଣିକ, ରଜା, ଜମିଦାର, କୁଲି, ମଜଦୁର ଭାଇ,

ଦେଶର ମୁକତି-ନିଆଁରେ ଡେଇଁଲେ ଜୀବନ ଦେବାର ପାଇଁ ।

 

ହିମାଳୟଠାରୁ କୁମାରିକା ଯାଏ ବାପୁଜୀର ମହା ପଥ,

ଗଗନେ ପବନେ ବନେ ଉପବନେ ବାହିନେଲା ଜାତି-ରଥ ।

 

ସେଇ ମହାଜନ ଯେଉଁ ପଥେ ଗଲେ ସେଇ ପଥ ଅନୁସରି,

ଏ ଦେଶର ବହୁ ନର ନାରୀ ଗଲେ ସେଇ ପଥ ଗତି କରି ।

 

ଜୀବରାମ ବାବୁ ଗରିବ ଜୀବନେ ଆରାମ ଦେବାର ପାଇଁ,

ଧନ ଦଉଲତ କୋଠା ବାଡ଼ି ସବୁ ପର ହାତେ ଦେଲେ ଯାଇ ।

 

ମଣିଷ ପାଖରେ ବଡ଼ ସିନା ନିଜ ଦେଶ ଭାଇ ଦେଶ ପୁଅ,

ଧନ ଦଉଲତ, କୋଠାବାଡ଼ି ସବୁ ମଣିଷ ଆଖିର ଲୁହ ।

 

 

 

କୋଟିପତିଠାରୁ ଶୁଖିଲା ରୋଟିର ଜୀବନ ମଣିଲେ ଭଲ,

ଗୁଜରାଟ ଛାଡ଼ି ଦୂର ପରବାସେ ଦେଖାଇଲେ ମନବଳ ।

 

କରାଳ ବନ୍ୟା କାଳ ରୂପେ ଆସି ଗରାସିଲା ଯେବେ ଦେଶ,

ଧନ ଓ ଜୀବନ ଅପଲକେ ଧୋଇ କରିଦେଲା ସବୁ ଶେଷ ।

 

ବହୁ ନର ନାରୀ ବିକଳେ ମାଗିଲେ ଅଉଷଧ ରୁଟି ଭାତ,

ଗୁଜରାଟ ଦେଶୁ ଜୀବରାମ ଆସି ଟେକିଦେଲେ ବେନି ହାତ ।

 

ଗରିବ ମୁହଁରେ ରୋଟିଦେଇ ପୁଣି ଆହତର କଲେ ସେବା,

ବୁଝିଥିଲେ ସିଏ ଜୀବନ ପାଇଁ ବଡ଼ ତ’ ଜୀବନ ଦେବା ।

 

ଓଡ଼ିଶା ମାଟିରେ ମିଶିଗଲେ ସିଏ ଆପଣାର ସବୁ ସାରି,

କୋଟିଏ ଜୀବନ ଗୋଟିଏ ପାଇଁକି ତେଣୁ ଆଜି ହୁଏ ଘାରି ।

 

ବାପୁଜୀ ଦେଶର ପୁଅ ଆସି ଦେଲ ମୁଖେ ଅଉଷଧ ମଧୁ,

ସୁକୁମାର କେତେ ଜୀବନ ପାଇଲେ ବଞ୍ଚିଥିଲେ କେତେ ବଧୂ ।

 

କାଣି କଉଡ଼ିଏ ହାତରେ ନ ରଖି ଅକାତରେ କଲା ଦାନ,

ଜୀବନ ପାଇଁକି ଜୀବନେ ତାହାର କରିଗଲା ଜୟ ଗାନ ।

 

ବହୁଦିନ ପରେ ଆଜିବି ଏ ଦେଶ ଜପିବ ତାହାରି ନାମ,

ରୋଗୀରେ ଆରାମ ଦେଇ ସେ ହୋଇଛି ଓଡ଼ିଶାର ଜୀବରାମ ।

***

 

ବିନୋବା ଭାବେ

 

ଆହେ ପାନ୍ଥ, ଆହେ ସନ୍ଥ, ଏ ମହା ଜାତିର

ଅସୀମ ତୁମର ବଳ ଦୁର୍ବଳ ସେ ଉଦାର ଛାତିର ।

 

ଜମି ସବୁ ଠୁଳ କରି ବହୁ ଲୋକ ହେଲେ ଜମିଦାର

ତୁମେ କିନ୍ତୁ ଜମିନେଇ ଭୂମିହୀନ ହେ ମହା କାଙ୍ଗାଳ ।

 

ଘୂରି ଘୂରି ପୁର ପଲ୍ଲୀ, ଶସ୍ୟ ଶ୍ୟାମ କେଦାରେ କେଦାରେ

କେଉଁ ମନ୍ତ୍ର ବିତରିଲ ଅନ୍ତରର ଅସୀମ ଉଦାରେ ।

 

ଜନତା ହୋଇଲା ସ୍ତବ୍‍ଧ, ଆଚମ୍ବିତ ହେଲେ ଆନ ଲୋକେ,

କିପରି ଜାଣିଲ କହ, କେ’ ଖାଇଲା, କେ’ ରହିଲା ଭୋକେ ।

 

ଆଣ୍ଠୁ ଯାଏ ଖଦୀ କନା, ଖାଲି ପାଦ, ଅତି କ୍ଷୀଣ ଦେହ

ନାଇଁ ଗର୍ବ, ନାଇଁ ଭୟ, ଲୋଡ଼ା ନାଇଁ ଚବ୍ୟ ଚୋଷ୍ୟ ଲେହ ।

 

ମୁକୁଳା ପାଦରେ ଆଜି ବୁଲୁଚନ୍ତି ବନ ଓ ପାହାଡ଼

ବୟସ ଗଲାଣି ଖସି, ଅଛି ଖାଲି କେଇଖଣ୍ଡି ହାଡ଼ ।

 

 

 

ହିମାଚଳଠାରୁ ଆସି, ସୀମାଚଳେ ରହୁଛନ୍ତି ଯାଇ

ମାଗୁଛନ୍ତି ଦାନ ଖାଲି ପରପାଇଁ ନୁହେଁ ନିଜ ପାଇଁ ।

 

‘ଗୀତା’କୁ କାଖରେ ଜାକି, ଜୀବନର ସବୁକିଛି ମଣି

ଗଭୀର ହୃଦରେ ତାଙ୍କ ରଖିଛନ୍ତି ସବୁ ଜ୍ଞାନ-ଖଣି ।

 

ମରାଠୀ ପୁଅର ଗୁଣ ଚିହ୍ନିଥିଲେ ଚିହ୍ନରା ବାପୁଜୀ

ଜାତି ପିତା ଉପଦେଶେ ସତ୍ୟପଥେ ଗଲେ ଆଖି ବୁଜି ।

 

ବହୁ ଭାଷା ସାଧ୍ୟକରି ବିନୋବାଜୀ ବଖାଣିଲେ କଥା

ଆଚମ୍ବିତ ହେଲା, ବୁଢ଼ାଟାର କି ଅଦ୍ଭୁତ ମଥା ।

 

ଊଣେଇଶ: ଚାଳିଶରେ ବିନୋବାଜୀ ହେଲେ ସତ୍ୟାଗ୍ରହୀ

ହଟିଲେନି ନିଜ ପଥୁ ବହୁବାର କାରାଗାରେ ରହି ।

 

ବାପୁଜୀଙ୍କ ପ୍ରିୟ ଶିଷ୍ୟ, ମହାତମା ନିତି ଅନୁସରି

ସକଳ ବେଦନା ଦୁଃଖ ଆକାରରେ ନେଲେ ନିଜେ ବରି ।

 

ପ୍ରେମ ଓ ଅହିଂସା ବାଣୀ ପୁର ପଲ୍ଲୀ କରିଲେ ପ୍ରଚାର,

ସ୍ତମ୍ଭୀଭୂତ ହେଲେ ଶୁଣି ଗୋରା ଲୋକେ ତାଙ୍କ ସମାଚାର ।

 

ଜଗତର ସୁଖ ପାଇଁ, ହେବ ବୋଲି ଦେଶ ସୁଆଧୀନ

ଜାଳିଦେଲେ ଜୀବନକୁ ଦେଶ ଦେହେ ଆଣିଲେ ଜୀବନ ।

 

ହେ ମହା ସାଧକ ଆଜି ବିଶ୍ୱ ଆଗେ ଅତି ଜଣାଶୁଣା

ବେଶୀ ଥିବା ଲୋକ ସବୁ ଦିଅ ତାକୁ ଅଛି ଯା’ର ଊଣା ।

***

 

ଧନଂଜୟ ଭଞ୍ଜ

 

ମୋ ହାତୀର ନାମ ସୁନ୍ଦର ଗଜ, ସୁରେଖା ଘୋଡ଼ାର ନାମ,

ଧନୁଜ ଭଂଜ କହୁଛି ମୁଁ ଆଜି କରମ ନୋହିଲେ ବାମ ।

 

ବୁଲି ବୁଲି ଦେଶ ଶେଷ କରିଦେବି ଗୋରା ମଣିଷର ବଂଶ,

ସୁନାର ଦେଶଟା ସତେକି କଲେରେ ! ଚୂନାକରି କଲେ ଧ୍ୱଂସ ।

 

ହେ ଗଡ଼ନାୟକ, ପାତ୍ର, ବିଷୋୟୀ, ସକଳ ପାଇକ ସେନା ,

ଦେଶର ଗୁହାରି ବ୍ୟଥାତୁର ଡାକ କରିବନି କିହେ ଘେନା ?

 

ପଛରେ ଧାଇଁଛି ଫିରିଙ୍ଗି ଥାଟ ଅନ୍ଧାରି ଗଡ଼ ପଥେ,

ଦେଶ ଦଉଲତ ଲୁଟିନେବ ସବୁ ଅପଲକେ ଅବିରତେ ।

 

ଘୁମୁସର ସତେ ପଡ଼ିବ ଘୁମାଇଁ ଗଭୀର ବେଦନା ବହି,

ବିଦେଶୀ ଶାସକ ଶାସନ କରିବ ତୁମେକି ରହିବ ସହି ?

 

ଭାସୁଥିଲା ଦେଶେ ସୁଖ ଶିରି ନେଇ ଘିଅ ଓ ମହୁର ଝର,

ଏ ଦେଶ 'ବୋଇତ ବଣିଜ ପାଇଁକି ଯାଉଥିଲା ବହୁ ଦୂର ।

 

 

 

ଧନ ଦଉଲତ, ନାନା ଜାତି ଚିଜ ଆଣୁଥିଲେ ଦେଶ ପୋଏ,

ସହି ନ ପାରିଲେ ଦେଶ ପୁଅ ସୁଖ ଗୋରା ଗୋରା ବେପାରୀଏ ।

 

ନିଜ ଅଧୀନକୁ ଘୁମୁସର ଆଣି ରାଜୁତି କରିବେ ଆପେ,

ସତେକି ଆଗରୁ ଏ ଦେଶରେ ଥିଲେ ତାଙ୍କ ବାପ ଗୋସବାପେ ।

 

ଧନୁଜ ମାତିଲେ କିପରି ଦେଶକୁ ବିଦେଶୀ ଆସିବ ନାହିଁ,

ପୁଅ ଓ ପରଜା ଠୁଳ ହୋଇ ସବୁ ଜୀବନ ଦେବାର ପାଇଁ ।

 

ବାହାରି ପଡ଼ିଲେ ଗୋରା ମଣିଷର ଛାତିରୁ ନେବାକୁ ଲହୁ,

ପରମାଦ ଗଣି ବଦେଶୀ ବଣିକ ଉପାୟ ରଚିଲେ ବହୁ ।

 

ଏ ମେଳିର ନେତା ଖୋଜି ଖୋଜି ଦେଶେ ବୁଲିଲେ ବଣିକ ସେନା,

ଦଳର ନେତାକୁ ଜବତ କରିବା ପହିଲା ଲକ୍ଷ୍ୟ ସିନା ।

 

ଚୋରା ସଇନିକ ଧନୁଜ ପଛରେ ଗୋଡ଼େଇଲେ ଅବିରତ,

ଆଜିତ ଏଇଠି କାଲି ପୁଣି କାହିଁ କା’ କଥାର ଅଛି ସତ ।

 

ଅବଶେଷେ ଶେଷ ସକଳ ପ୍ରୟାସ ତେଲେଙ୍ଗା ସେନା ଦଳ,

ଘୁମୁସର ଗଡ଼େ ପଶି କଲେ ସବୁ ସଇନଙ୍କୁ ହୀନ ବଳ ।

 

ବିରାଟ ବାହିନୀ ପାଖରେ ଯେ କେବେ କରିନାହିଁ ଅରପଣ,

ଦେଶ ଜାତି ପାଇଁ ଅବଶେଷେ ଶେଷ କଲା ତା’ ଜୀବନ ପଣ ।

 

ଭଂଜ ବଂଶ ମଥା-ମଣି ସିଏ ନିଆଁର ଦୀପ୍ତ ଶିଖା,

ବହୁ ବର୍ଷର ପରେ ବି ଆଜି ସେ ଏ ଦେଶର ମନ ରଖା ।

***

 

ଚକ୍ର ବିଷୋୟୀ

 

‘ଚକ୍ର’କୁ କେବେ ବକ୍ର କରିକି ପାରିଲା ବଣିକ ଜାତି ?,

‘ରସଲ’ ‘ବୁରନ୍‍’ ଅଥୟ ହୋଇଲେ, ଥରିଲା ଟାଣୁଆ ଛାତି ।

 

ଚକ୍ର ବିଷୋୟୀ ଚକର୍ ମାରୁଛି ବିଷମ ବିଷୟ ହେଲା,

ଖଚଡ଼ା ଲୋକଟା ଧରାତ ଦେଉନି, କରନାଇଁ ଅବହେଳା ।

 

ବିଷ ଦିଅ, ଅବା ବନ୍ଧନ ଦିଅ, ଗୋପନେ ହତ୍ୟାକର,

ଜଣେ ମଣିଷକୁ ବିରାଟ ବାହିନୀ ! ଅଛି ତା’ଠି କିବା ଡର ?

 

ବଡ଼ ସେନାପତି ଗମ୍ଭୀର କଣ୍ଠେ ଆଦେଶିଲେ ହୋଇ କୃଦ୍ଧ,

ପ୍ରତି ଜନପଦେ ବନେ ଉପବନେ ଚଳାଅ ତୁମୁଳ ଯୁଦ୍ଧ ।

 

ଘୁମୁସର ମାଟି କମ୍ପିଉଠୁଛି ବିଷୋୟୀର ବାହୁ ବଳେ,

ଏ ମାଆ ମାଟିକି କରଗତ ହେବ ବିଦେଶୀର କଉଶଳେ ।

 

ବିଦେଶୀ ମ୍ଳେଚ୍ଛ ଘରେ ପଶିଯିବ ଦେଖିବ ସେ ଆଖି ଥାଇ,

ମାରିବ, ମରିବ, ଏ ସାର ବଚନ କା’ କଥା ଶୁଣିବ ନାଇଁ ।

 

 

 

ସଂଜ ଶେଷରେ ଭଂଜ ଭୂଇଁରେ ବିଦେଶୀର ହେବ ପୂଜା,

ବିଷୋୟୀ ସହିବ ?, କରେ କରବାଳ ଦେଇଛି ଯେ’ ଦଶଭୂଜା ।

 

ତାକୁକି ଅରପି ଅଧରମୀ ହାତେ ଖାଇବ ହାରାମି ଭାତ,

ଦେଶ ପାଇଁ ତା’ର ମଥା କଟିଯାଉ, କଟିଯାଉ ବେନି ହାତ ।

 

ଧରା ପଡ଼ିଗଲେ ଧନୁଜ ଭଂଜ ସୋରଡ଼ା ରଜାର ପାଇଁ,

ଘରର ମଣିଷ ପରହୋଇ ସବୁ ଭଗାରି କଲେ ଭାଇ ।

 

ଘୁମୁସର ପାଇଁ ଜୀବନ ଦେବାକୁ ବିଷୋୟୀ ଛାଡ଼ିଲେ ରଡ଼ି,

ଫିରେ ଫିରେ ଫିରେ ମାରେଗା ମାରେଗା’ ଡାକ ଦେଲେ ଘଡ଼ି ଘଡ଼ି ।

 

ଇଂରାଜି ସେନା ପ୍ରମାଦ ଗଣିଲେ ବିଷୋୟୀଟା ଗଲ କାହିଁ,

ଘୁମୁସର ସାରା ଚହଳ ପଡ଼ିଲା କୁଆଡ଼େ ବିଷୋୟୀ ଭାଇ ।

 

ଫରାସୀ ଜାତିକୁ ଡରିବାଠାରୁ ବି ବିଷୋୟୀର ଡର ବଡ଼,

କି ସାହସେ ଆଉ ବଣିକ ସଇନ ଯିବେ କିଣିବାକୁ ଗଡ଼ ।

 

ଘୁମୁସର ମାଟି ବିଷୋୟୀ ଜୀବନ ଅବଶେଷ ହେଲା ଶେଷ,

ବଣିକ ଜାତିଟା ଜାଣିପାରିଲାନି କେଉଁଠି ତା’ ଅବଶେଷ ।

 

ଆଜିବି ବଉଦ ଘୁମୁସର ମାଟି ବିଷୋୟୀର ପ୍ରିୟ ପ୍ରାଣ,

ଏ ଜାତି-ପାଉଁଶ ତଳେ ନିଆଁ ଥିଲା ବୋଲି ଦିଏ ପରମାଣ ।

***

 

ଗୋଦାବରୀଶ ମିଶ୍ର

 

ଗୋଦାବରୀ ନଦୀ ରାମାନନ୍ଦ ଘାଟେ ସ୍ନାନ ସମାପନ କରି,

ପୁଅ ପାଇଥିଲେ ବୋଲି ମାଆ ସିନା ନାମ ଦେଲେ ଗୋଦାବରୀ ।

 

ବାଣପୁରର ସେ ଶ୍ରୀନିବାସ ପୁର ପାଇଲା ଆଲୁଅ ନୂଆଁ,

ମିଳନ ମାଟିର ପଚା ସଡ଼ା ଖତେ ପଦୁଅଁ ଫୁଟିଲା କିଆଁ ?

 

ବକୁଳ ବନର କୋକିଳ ସେ ଥିଲା ନିତି ନୂଆ ଗୀତ ଗାଇ,

ସାଳିଆ ନଈର ଢଳ ଢଳ ଜଳେ ବିମ୍ବିତ ତା’ର ଛାଇ ।

 

ବନ ଗିରି ଲତା ସବୁଜ ଖେତର ନିରେଖି ମୋହନ ଛବି,

ପାଲଟିଛି ସିଏ ଆଜି ଏ ଦେଶର ମାଟି ଆକାଶର କବି ।

 

“ଭଲ କରି ନାଆ ବାହାରେ ନାଉରୀ ଝିଅକୁ ମାଡ଼ୁଛି ଡର,

ଗଡ଼େ ଗଡ଼ ଲୋକ ଚାହିଁ ବସିଛନ୍ତି ଝିଅ ଯିବ ଶାଶୁ ଘର’’ ।

 

ଏ ଗୀତ ପାଇଁକି ଅମର ରହିବେ ଗଣକବି ଗୋଦାବରୀ ।

କବିର କୋମଳ ତରଳ ମରମ କାଳିଜାଇ ପ୍ରାଣ ଭରି ।

 

 

 

ସତ୍ୟବାଦୀରେ ଦେଖାଇଲେ ସିଏ ଆଦରଶ ଜୀବନର,

ପରିହାର କରି ଧନ ସନମାନ ବଡ଼ଲୋକି କୋଠାଘର ।

 

ବକୁଳ ବନର ବହଳ ଛାଇରେ କରି ଜ୍ଞାନ ବିତରଣ,

ଏ ମହା ଜାତିର ସୁପ୍ତ ଜୀବନେ ସରଜିଲେ ଜାଗରଣ ।

 

ବଣିକ ଶାସନ ଦୂର କରିବାକୁ ପଡ଼ିଥିଲା ଡାକ ଦେଶେ,

ମୁକତି ପାଗଳ ଦେଶର ସକଳ ନର ନାରୀ ନୂଆ ବେଶେ ।

 

ବାପୁଜୀର ନିତି–ପଥ ଅନୁସରି ମଣିଷର ଅଧିକାର,

ଦାବୀ କରୁଥଲେ, ନୀରବେ ନିରେଖୁଥିଲା ଗୋରା ସରକାର ।

 

ଓଡ଼ିଶା ମାଟିରେ ମହାତମା ବାପୁ ଡାକ ଶୁଣିଥିଲେ ଗୋପ,

ଦେଶ ଜାତି ପାଇଁ ଲଢ଼ିଲେ ନଡ଼ରି ବାରୁଦ କମାଣ ତୋପ ।

 

ଉତ୍‍କଳ ମଣି ଡାକରେ ଡେଇଁଲେ ଗୋଦାବରୀଶ ମହାମନା,

ଗୋପ ଗୋଦାବରୀ କାରାଗାରେ ଯାଇ ଖାଇଲେ କଇଦୀ-ଚଣା ।

 

ମାନ ସନମାନ ପଦବି ଚାକିରି ବରଜି ବରିଲେ କାରା,

‘ଦେଶ ଜାତି ପାଇଁ ମରିବାହିଁ ସାର’ ଗାଇଲେ ଏ ଦେଶ ସାରା ।

 

ଦେଶ ସୁଆଧୀନ ଦେଖିଲେ ସେ ଆଖି ଚାଖିଲେ ସୁଖର ମହୁ,

ମାଉଁସ ପଛକେ ପାଉଁଶ ପାଲଟୁ ଓଡ଼ିଶାର ମାନ ରହୁ ।

 

ଆଜୀବନ ଲଢ଼ି ଦେଶ ପାଇଁ କଲେ ଦୁରଦଶା ଦେଶୁ ଦୂର,

ଜୀବନକୁ ଜାଳି ଜଳିଲା ଜୁଇରେ ପାଲଟିଲେ ଶେଷେ ସୁର ।

***

 

ହରେକୃଷ୍ଣ ମହତାବ

 

ସାହେବ ଦେଖିଲେ ଏ ଦେଶର ଲୋକ ହେଉଥିଲେ ଥରହର,

ପୋଲିସ ନାଆଁରେ ଲୁଚିଯାଉଥିଲେ ଦଉଡ଼ି ଆପଣା ଘର ।

 

ଗୋରା ହାକିମର ସାମନାରେ ମୁହଁ ଖୋଲି କହିବାକୁ କଥା,

ସେଇ ସମୟରେ ଯେତେ ନର ନାରୀ ଟେକୁଥିଲେ ନଇଁ ମଥା ।

 

ମାତର ତରୁଣ ପିଲାଟିଏ ତା'ର ଭାବୁଥିଲା ମନେ ମନେ,

ସାହେବ ମଣିଷ ଆମେ ବି ମଣିଷ ପୋଲିସ ବି ଲୋକ ଜଣେ ।

 

କାହିଁକି ଡରିବା ସାହେବ ନୁହେଁ ତ ବଣର ବଣୁଆ ବାଘ,

ସେଇଥିପାଇଁ ସେ ସାହେବ ଆଗରେ କହୁଥିଲେ କଥା ଆଗ ।

 

ବଡ଼ ହାକିମର ଗାଡ଼ି ଅଗେ ଆଗେ ଚାଲେ ସେଇ ବୀର ପିଲା,

ଆଖିମାରି ମୁହଁ ଦଲାଇ ହଲାଇ ପୋଲିସ କି ଗାଳି ଦେଲା ।

 

ଏଇ ପଥେ ମୋର ଅଛି ଅଧିକାର ତୁମ ସାହେବର ଯେତେ,

ମୁଁ କିଆଁ ଛାଡ଼ିବି ମୋ ବାଟ ଦେଖୁଛି ତୁମେ କି କରିବ ମୋତେ ?

 

 

 

ଯାଇ ପାରିଲେନି ସହଳରେ ଆଗେ ହାକିମ ହୁକୁମ ଛାଡ଼ି,

ଅନୁରୋଧ କଲେ ଛାଡ଼ିଦିଅ ବାପ ଆଗକୁ ଚାଲିବ ଗାଡ଼ି ।

 

ସେ ବୀର ଯୁବକ ଆଜି ବଡ଼ ଲୋକ ସାହେବଠୁ ଯିଏ ବଡ଼,

ବିଜୟୀ ସେ ଆଜି ଏ ମହା ଜାତିର ନ ଜିଣି ରାଇଜ ଗଡ଼ ।

 

ଏଇ ଓଡ଼ିଶାର ବାଲେସରର ସେ ‘ଅଗର ପଡ଼ା’ ତା’ ଘର,

ତା ଆଖିରେ ଆଜି ସଭିଏ ସମାନ ନିଜର ହେଉ ବା ପର ।

 

ଗୋପ ବାବୁ ସହ ସହଯୋଗ କରି ମିଶିଲେ ଅସହଯୋଗେ,

ଦେଶ ସାରା ବୁଲି ଜନସେବା କଲେ ସୁଖେ ଦୁଃଖେ ଅବା ରୋଗେ ।

 

ବିଲାତ ଦେଶର ଲୁଗା ଛାଡ଼ ବୋଲି କହିଲେ ଲୋକଙ୍କ ଆଗେ,

ଜରିମାନା କଲେ ଗୋରା ସରକାର ଦେଖି ତା’ ସାହସ ରାଗେ ।

 

ଉଣେଇଶ ବୟାଳିସ ମସିହାରେ ବନ୍ଦୀ ହେଲେ କାରାଗାରେ,

ପଟେଲ ନେହେରୁ ମଉଲାନା ସହ ଅହମଦ ନଗରରେ ।

 

କାରାଗାରେ ରହି ଲେଖିଲେ କବିତା, କାହାଣୀ ଓ ଇତିହାସ,

ଦେଶ ଜାତି ପାଇଁ କଷଣ ସହିଲେ ହୋଇ ସଦା ହସ ହସ ।

 

ସୁଆଧୀନ ହେଲା ଏ ଜନମ ମାଟି ସେ ଯୁବକ ହେଲେ ନେତା,

ନିଜ ଗୁଣ ବଳେ ଶାସିଲେ ଏ ଦେଶ, ସକଳ ବିଷୟେ ଜେତା ।

 

ବଡ଼ ଲାଟ ହେଲେ ଏ ଦେଶ ଶାସିଲେ ଏବେ ଉପ ଦଳପତି,

ଆଜୀବନ ଲଢ଼ି ଦେଶ ଜାତି ପାଇଁ ମହତାବ ମହାମତି ।

 

ଏ ଦେଶ ପାଇଁ ଛାତି ତଳେ ଯେଉଁ ଥିଲା ସାହସର ନିଆଁ,

ଆମ ଓଡ଼ିଶାର ସେ ସକଳ ଶିଶୁ ଜଳିବନି ତାହା କିଆଁ ?

***

 

କସ୍ତୂରୀ ବାଈ

 

କସ୍ତୂରୀର ଗନ୍ଧ ଛୁଟେ ବନ ଡେଇଁ ଦୂର ଅନ୍ୟ ବନେ,

କସ୍ତୂରିକା ମୃଗ ଧାଏ ସେଇ ଗନ୍ଧ ଲୋଭେ ବ୍ୟଗ୍ର ମନେ ।

 

କିନ୍ତୁ ସେ କି ପାଇ ପାରେ ? ଜାଣିପାରେ କେଉଁଠାରୁ ଆସେ,

ପବନ ବେଗରେ ଧାଏ ଡେଇଁ ଡେଇଁ ଅସୀମ ଉଲ୍ଲାସେ ।

 

ତା’ ନାଭିରେ ରହିଅଛି ସୁରଭିତ କସ୍ତୂରୀ ସୌରଭ,

ଜାଣିତ ପାରେନା ସିଏ କସ୍ତୂରିତ ତନୁର ଗୌରବ ।

 

ଗନ୍ଧ ଲୋଭେ ଧାଏଁ କିନ୍ତୁ ବନେ ବନେ ଅମନ୍ଦ ଗତିରେ,

ବିଶ୍ୱ କିନ୍ତୁ ମୃଗଧ ହୁଏ କସ୍ତୂରୀର ସାମାନ୍ୟ ରତିରେ ।

 

ସେଇଭଳି ‘କସ୍ତୂରବା’ ବିଶ୍ଵେ ଆଜି ଜଣା ଶୁଣା ଅତି,

କାହିଁକିନା ପାଖେ ତାଙ୍କ ରହିଥିଲେ ବିଶ୍ଵ ପୂଜ୍ୟ ପତି ।

 

ମୋହନ ଦାସର ଦାସୀ ହେବା ପାଇଁ ମଣିଲେ ଗୌରବ,

ପତି ପଛେ ଧାଇଁ ଧାଇଁ, ବିତରିଲେ କସ୍ତୂରୀ-ସୌରଭ ।

 

 

 

ସକଳ ବେଦନା ଦୁଃଖ ପ୍ରିୟ ପତି ପଦ ଅନୁସରି,

ଭୁଲିଗଲେ, ସେବା ବ୍ରତ ଆଚରିଲେ ଦିବସ ଶର୍ବରୀ ।

 

ଚରଖାରେ ସୂତା କାଟି ନିଜ ହାତେ କରି ଘରକାମ,

ସବୁଠାରୁ ସାର ବୋଲି ମାନିନେଲେ ପ୍ରଭୁ ରାମ ନାମ ।

 

ପତି କୋଳେ ମଥାରଖି କାରାଗାରେ ଛାଡ଼ିଲେ ଜୀବନ,

ପତି ପ୍ରାଣେ ନିଜ ପ୍ରାଣ କରିଥିଲେ ଯତନେ ସୀବନ ।

 

ଦୟାମୟୀ ସ୍ନେହମୟୀ ହାସ୍ୟମୟୀ, ମଧୁର ବଚନା,

ଦେଶ-ମାଆ ପାଦ ବେନି ଆଜୀବନ କଲେ ଅରଚନା ।

 

ତାଙ୍କୁ ମଧୁ ବ୍ୟବହାରେ କହିଥିଲେ ବାପୁ ହୋଇ ଖୁସି,

ଜନନୀ ଅଟୁତୁ ସଖି ନୋହୁ ମୋର କାମିନୀ ରୂପସୀ” ।

***

 

କମଳା ନେହେରୁ

 

କୁସୁମ କଅଁଳ କମଳା ଆଖିରୁ ଝରିଗଲା ଯେତେ ଲୁହ,

ମୂଲ ତା’ କେ ଦେଇପାରିବ ହେ ଭାଇ ମୋ ଆଗରେ ଆଜି କହ ?

 

ନଈ ସେପାରିର ଚକୋରୀ ମନରେ ଜମିଅଛି ଯେତେ ଭାଷା,

କେ’ ବୁଝିବ ତା’ର ମରମ ତଳର ଚିର ବିରହିଣୀ ଆଶା ।

 

ଝରିଗଲା ଝରା ସେଫାଳୀ ସଖା ହେ ଉଡ଼ିଲାନି ତା’ର ତେଜ,

ନେହେରୁ ହେ ତୁମେ ନୀରବେ ତାହାକୁ ମନେ ଆଜି ଥରେ ହେଜ ।

 

ଏ ଜାତିକି ତା’ର ମୂଲ ଦେଇପାରେ ଦେଇଚି ସେ ଯେଉଁ ଦାନ,

ନୟନରୁ ଯେତେ ଲୋତକ ଦେଇଛି, କୋଟି ହୀର କି ସମାନ ?

 

ମନର ଦେବତା ଦୂର କାରାଗାରେ ଦେଖି କାଳିଦାସ ମେଘ,

ମନ ଛନ ଛନ, ଥରେ ଅପଘନ ହିଆ ହୁଏ ଉଦ୍‍ବେଗ ।

 

ଆପଣା ଜୀବନ ଦେବତା ନ ପୂଜି ମନର ଦେଉଳ ତଳେ,

ଦେବତା ଚରଣ ଧୋଇଦେଲା ସିଏ ନୟନ-ନିଗଡ଼ା ଜଳେ ।

 

 

 

ତା’ ହିଆ ତଳର ନରମ ମରମୁ ନେଇ କଣିକାଏ ପ୍ରୀତି,

ଜଗତ ଜୀବନେ ଶୁଣାଇ ଦେଲା ସେ ନୂଆ ଜୀବନର ଗୀତି ।

 

ଉର୍ମିଳା ସମ ଉର୍ମି ରଚିଲା ଜୀବନ ସାଗର କୂଳେ,

ଦରଦୀ ମନର ଦରଦ ଯେତେକ ଧୋଇଦେଲା ଆଖି ଜଳେ ।

 

ଏ ଯୁଗର ତୁମେ ସତୀ ଉର୍ମିଳା ଏ ଯୁଗର ତୁମେ ନାରୀ,

ଚିର ବନବାସୀ ରାମ ଅନୁଜର ତେଜି ନିଜେ ହେଲ ଘାର ।

 

ଜାଳି ଜାଳି ସିଏ ଆପଣା ଜୀବନ ନିଜେ ସିନା ଗଲା ଜଳି,

ଦେଇଗଲା ଯେଉଁ ଆଲୋକ ଟିକକ ତେଜ କେ ପାରିବ କଳି ।

 

ନିଆଁ ଜଳିସାରି ପଡ଼ି ରହିଅଛି ଆଜିତ ଯେତେକ ଖାର,

ଆମରି ମନରେ ଟାଣି ଦେଇଅଛି ମନ ରଖା ବହୁ ଗାର ।

 

ଦୁନିଆଁ ଭିତରେ ପୋଡ଼ା ପାଉଁଶକୁ ପଚାରିବ ଅବା କିଏ,

ଆମେତ ଖୋଜୁଛୁ ସେ ପାଉଁଶ ତଳୁ ଆଲୋକାଇ ଦେଲା ଯିଏ ।

***

 

ବୀଣା ଦାସ

 

ନେତାଏ ପାଇଲେ କାରାଗାର ଦଣ୍ଡ, ବିପ୍ଳବୀ ପାଇଲେ ଫାଶୀ,

ବହୁ ଅନାଚାର ଅତ୍ୟାଚାର କଲେ ଗୋରା ଲୋକେ ଘରେ ପଶି ।

 

ଦମନର ଲୀଳା ବଢ଼ିଲା ଯେପରି ମାତିଲେ ସେପରି ଲୋକେ,

ସରକାର ନେବ ଏ ଦେଶରୁ ଲୁଟି, ସରବେ ମରିବେ ଭୋକେ ।

 

କିପରି ସହିବ ବୀର ଛାତି ଦେଖି ଏଇ ସବୁ କାରବାର,

ଦେଶ ଚାରିଆଡ଼େ ଶୁଭିଲା ଏ ଡାକ ‘ମରିଯାଅ ଅବା ମାର' ।

 

ଶୁଣୁଥିଲେ ବସି ଦୂର ଓଡ଼ିଶାର କଟକ ନଗରେ ରହି,

ଏ ଦେଶ ନେତାଏ କିପରି ଆପଣା ଜୀବନକୁ ଦେଲେ ଦହି ।

 

ଘାରି ହେଉଥିଲା ମନ ତାଙ୍କ ଥିଲା ବହୁ ରାଗ ତାଙ୍କ ଛାତି,

ବଇରୀ ଉପରେ ପ୍ରତିଶୋଧ ପାଇଁ ଭାବୁଥିଲେ ରାତି ରାତି ।

 

ବି ଏ ପାସ୍ ପରେ କଲିକତା ଗଲେ ଡିଗିରି ଆଣିବା ପାଇଁ ,

ହାତେ ଯେ ରହିଛି ରିଭଲଭରଟି କେହିତ ଜାଣିଲେ ନାଇଁ ।

 

 

 

ବଙ୍ଗଳାର ଲାଟ ସଭା ମଣ୍ଡପରେ ନ ଦେଉଣୁ ନିଜ ପାଦ,

ପଛପଟୁ ଗୁଳି ଫୁଟି ସରଜିଲା ସେଠି ଘୋର ପରମାଦ ।

 

ଅଳପକେ ଲାଟ ଜୀବନ ପାଇଲେ, ଗୁଳି ଫୁଟିଗଲା ଦୂରେ,

କାରା ଅନ୍ଧକାର ପୂରିଗଲା ଆସି ବାଣୀ ଦାସ ପ୍ରାଣ-ପୁରେ ।

 

ଓଡ଼ିଶାର ପାଣି ପବନରେ ଗଢ଼ା ବୀରା ନାରୀ ବୀଣା ଦାସ,

ସହିଲେ ସକଳ କାରାର କଷଣ ମୁଖରେ ଫୁଟାଇ ହସ ।

 

ବୀଣାଙ୍କର ପିତା ‘ବେନିବାବୁ’ ଥିଲେ କଟକର ପ୍ରିୟ ଗୁରୁ,

କଟକ ସହରେ ପିଲାକାଳ କାଟି ଦେଶକୁ ଦେଖିଲେ ଦୂରୁ !

 

ନେତାଜୀଙ୍କ ସମ ଏଇ ଓଡ଼ିଶାରେ ବୀଣାଙ୍କ ଜୀବନ ବୀଣା,

ନୂଆ ସ୍ଵର ପାଇ ଶିହରି ଉଠିଲା ଦେଶ ଜାତି ପାଇଁ ସିନା ।

 

ଭାଇ ବାପ ପ୍ରିୟ ପରିବାର ଛାଡ଼ି ତେଜିଲେ ସକଳ ସୁଖ,

ବରଷ ବରଷ କାରାର କଷଣେ ଶୁଖିନି ତଥାପି ମୁଖ ।

 

ହସ ହସ ତାଙ୍କ ମୁହଁ ଯେ ଦେଖିଛି, ପାରିବନି କେବେ ଭୁଲି,

ଆପେ ଆପେ ନଇଁ ହାତ ବଢ଼ାଇବ ନେବାକୁ ଚରଣ ଧୂଳି ।

 

ସାତଟି ବରଷ କାରାଗାରେ ରହି କବି ଗୁରୁ ଅନୁରୋଧ,

ଗୋରା ସରକାର କାରାରୁ ମୁକତି ଯାଚିଲେ ତାହାକୁ ବୋଧେ ।

 

ଜାତିର ସେବିକା ଚିର କୁମାରୀ ସେ ବୀଣାଙ୍କର ଗୁଣ ଗାଇ,

ନିଜକୁ ନିଜେହିଁ ଧନ୍ୟବାଦ ଦେବା ସେଇପରି ନାରୀ ପାଇ ।

***

 

ପ୍ରୀତିଲତା

 

କିଏ ଏ ପୁରୁଷ ମାଟିରେ ପଡ଼ିଲା ଶୋଇରେ,

ଦେହର ରକତେ ମାଟି ଦେହ ଦେଲା ଧୋଇରେ ।

 

କାହାର ଏ ଗୁଳି ବାଜିଲା ତାହାର ତନୁରେ,

ଦେଖିଛି ଯେ’ ଥରେ ପାଶୋରି ଦେବନି ମନୁରେ ।

 

ପୀରତିର ଲତା ଅକାଳେ ପଡ଼ିଲା ଝାଉଁଳି,

ଶୁଖିଲା ଜୀବନ ପୁଣିକି ଉଠିବ ପାଉଁଳି ?

 

ଗୋରା ସରକାର ଚମକି ଚକିତେ ଚାହିଁଲା,

ପୁରୁଷ ନୁହେଁ ଏ ରମଣୀ କିପରି ଅଇଲା ।

 

ମାଇପୀଟାରତ ସାହସ ଅଳପ ନୁହଇ,

ଗୋରା ଲୋକ କେତେ ନିମିଷକେ ଦେଲା ଶୁଆଇ ।

 

ପାଦ ଚିପି ଚିପି ଭିତରେ କିପରି ପଶିଲା ?

ବୋମା ବରଷାଇ କେତେ ଗୋରା ଲୋକ ନାଶିଲା ।

 

 

 

ପୁରୁଷ ବେଶରେ ରମଣୀର ଦେଖି ସାହସ,

ସରକାର ହେଲା ଭୟରେ ଅଥୟ ଅବଶ ।

 

ଅରାତିର ଗୁଳି ପ୍ରୀତିଲତା ଦେହେ ବାଜିଲା,

ଦେଶ ଜାତି ପାଇଁ ରମଣୀ ଜୀବନ ତେଜିଲା ।

 

ବଙ୍ଗର ମାଟି ରଞ୍ଜିତ ହେଲା ଲହୁରେ,

ପ୍ରୀତିଲତା ଭଳି ଜୀବନ ତେଜିଲେ ବହୁରେ ।

 

ଭାରତର ନାରୀ ଘର କୋଣେ ତା’ର ରହେନା,

କରିପାରେ କାମ କଥା ସିନା ବେଶୀ କହେନା ।

 

ମାରି ମରିବାର ପଣ ଦେଖି ଗୋରା ଶାସକ,

ଦମନର ଲୀଳା ରଚାଇ ସୃଜିଲେ ନାଟକ ।

 

ଗୁଡ଼ାଏ ଜୀବନ ଜଳି ଜଳି ହେଲା ପାଉଁଶ,

ସେ ପଉଁଶ ତଳୁ ପାଉଁଳିଲା ନୂଆ ମାଉଁସ ।

 

ପ୍ରୀତିଲତା ଦେହେ ଆଜି ନୂଆ ରଙ୍ଗ ଲାଗିଛି,

ତା’ କରୁଣା କଣା ଲଭି ଏଇ ଦେଶ ଜାଗିଛି ।

***

 

କୁମାରୀ ବେଳା ଦତ୍ତ

 

ଆକାଶରୁ ଅବତରି ଆମେରିକା ସେନା,

ଦେଖିଲେ ଶିବିରଟିତ ହୋଇଅଛି ଚୂନା ।

 

ବୋମାର ମାଡ଼ରେ ସବୁ ହେଲ ଚୁରମାର,

ସକଳ ଆହତ ସେନା ପାଲଟିଲେ ଖାର ।

 

କାହିଁ ଦୂର ବ୍ରହ୍ମ ଦେଶେ ଅମଡ଼ା ବଣରେ,

ସେବା କରୁଥିଲେ ବସି ଆହତ ଗଣରେ ।

 

ମୁକତି ପାଗଳ ସବୁ ନେତାଜୀଙ୍କ ସେନା,

ପୂର୍ବ ପଟୁ ପଶିବାକୁ ନ ମାନିଲେ ମନା ।

 

ଖାଇଲେ ବାରୁଦ ଗୁଳି, ଦେହେ ବୋମା ପଡ଼ି,

ମଲେ କେତେ, ଆଉ କେତେ ଛାଡ଼ି ଘୋର ରଡ଼ି ।

 

ଆକୁଳେ ଚାହିଁଲେ ବସି କାତର ନୟନେ,

ଏ ବେଳାରେ ବେଳା ଆସି ଆପଣା ଯତନେ ।

 

 

 

ଆହତ ଜନର କଲେ ତହିଁ ବସି ସେବା,

ଉଚିତ ମଣିଲେ ପର ପାଇଁ ପ୍ରାଣ ଦେବା ।

 

ଦୁତିଅ ମହା ସମର କାଳର ଘଟଣା,

ନାଗାସାକି ହିରୋସୀମା ହେଲା ଧୂଳିକଣା ।

 

ଅରାତି ଜାହାଜ ଯେତେ ଆକାଶରେ ବୁଲି,

ଆଖିର ପଲକେ ସବୁ କରୁଥାଏ ଧୂଳି ।

 

ଗୋଡ଼ି ମାଟି ଭଳି ନର ନାରୀଙ୍କ ଜୀବନ,

କେଉଁଠି କାହାର ଶବ, କିଏ କେଉଁ ଜନ ।

 

ପଚାରୁଛି କିଏ ଅବା, କେ’ ହେଉଛି ସାହା,

ଚାରିଆଡ଼େ ଶୁଭୁ ଅଛି ଖାଲି ଆହା ଆହା ।

 

ଷୋଳ ବର୍ଷ ବୟସର କୁମାରୀ ବାଳିକା,

ନେତାଜୀ ନିର୍ଦ୍ଦେଶେ ହେଲା ଶିବିର ପାଳିକା ।

 

କା’ ପାଟିରେ ପାଣିଦେଇ, କା’ ମୁହଁରେ ଭାତ,

ସେବା କରିବାରେ ବ୍ୟସ୍ତ ଥାଏ ତାର ହାତ ।

 

ଅପୂରୁବ ଦମ୍ଭ ଧରି ବୀର ବାଳା ବେଳା,

ଦେଖୁଥାଏ ବୋମା ବରଷଣ ଧ୍ଵଂସ ଲୀଳା ।

 

ଅଚାନକେ ପଡ଼ି ବୋମା ଶିବିର ଉପରେ ,

ପରିଣତ ହେଲା ସବୁ ପାଉଁଶ ସ୍ତୂପରେ !

 

ବେଳା ଦତ୍ତ ନାଇଁ ଆଜି, ପାଲଟି ପାଉଁଶ,

ଏ ଜାତି ଜୀବନେ ଦେଲା ରକତ ମାଉଁସ ।

 

ଦେଶ ମୁକତିର ପାଇଁ ପାଗଳ ତା’ ମନ,

ନ ମାନିଲା ମନାକା’ର ତେଜି ପ୍ରିୟ ଜନ ।

 

କାହିଁ ଦୂର ପରଦେଶେ ଜାଳିଲା ଜୀବନ,

ସେ ଜୀବନ-ଯଶ ଗାଏ ଆକାଶ ପବନ ।

 

ଜାତିର ସକଳ ଯୋଦ୍ଧା ବିପ୍ଳବୀ ହେ ବୀର,

ଘେନ ଆମ ଶ୍ରଦ୍ଧା ପୂର୍ଣ୍ଣ ନମ୍ର ନମସ୍କାର ।

***

 

ମାଷ୍ଟରଦା ସୂର୍ଯ୍ୟସେନ

 

‘ମୁଁ ଯେ ଆଜି ମରୁନାଇଁ, ମରୁଅଛି ବଞ୍ଚି ରହିବାକୁ ,

ଗୋଟିଏ ଜୀବନ ଜାଳି କୋଟି ଦେହେ ଜୀବନ ଦେବାକୁ ।

 

ଫାଶି ଖୁଣ୍ଟେ ଦେହ ତ୍ୟାଗ କରୁ କରୁ ସୂର୍ଯ୍ୟସେନ ପାଟି,

କହିଗଲା ଏଇ ବାଣୀ ? “ବିଦାୟ ଗୋ’ ପ୍ରିୟ ଜନ୍ମ ମାଟି”।

 

ନେତାଜୀଙ୍କ ସେନା ଦଳ ଆସୁଥିଲେ ପୂର୍ବ ପଟୁ ମାଡ଼ି,

“ଗଣତନ୍ତ୍ର ସେନା ଦଳ’ ଏଇ ପଟେ ଛାଡ଼ୁଥିଲେ ରଡ଼ି ।

 

ଘନ ଘୋର ବନାନୀରେ ଶିଖାଇଲେ ଯୁଦ୍ଧ କଉଶଳ,

ଗୁଳି ଗୋଳା ବନ୍ଧୁକର ଶୁଭୁଥିଲା ଦୂରୁ କୋଳାହଳ ।

 

ବହୁଦିନ ଚେଷ୍ଟା କରି ପାରିଲେନି କିଛିମାତ୍ର ଜାଣି,

ଜନତାର ବଳ ପୁଣି ଦେଶ ସାରା ଉଠୁଛି ଉଜାଣି ।

 

ଏ ବଳ ପ୍ରୟାସକରି ସରକାର ପାଇଲେ ଖବର,

ଆକସ୍ମିକ ଭାବେ ଆସି ବନ୍ଦି କଲେ ବିପ୍ଲବୀ ସକଳ ।

 

 

 

ବହୁ ବୀର ଧୃତ ହେଲେ ଆଉ କେତେ କଲେ ଆତ୍ମ ଦାନ,

ବନ୍ଦୀ ହୋଇ ଫାଶି ଖୁଣ୍ଟେ ବନ୍ଧା ହେଲେ ଦାଦା ସୂର୍ଯ୍ୟସେନ ।

 

ଜଳୁଥିବା ଜୁଇ ସିନା ଲିଭିଗଲା ପାଣି ଛିଟିକାରେ ,

ଭିତରର ନିଆଁ କିନ୍ତୁ ଜଳିଗଲା ଅସୀମ ଚିତ୍କାରେ ।

 

ମାଟି ଛୁଇଁ ବହୁପାଟି ପରେ କଲା ଦେଇ ଆତ୍ମଦାନ,

ବାହୁ ବଳେ ସରକାର ବୁଝିବେକି ଏଇ ଦେଶମାନ ?

 

କିପରି ସହିବ କହ ଦେଶେ ଦେଖି ବିଦେଶୀର ଦାଉ,

ଦେଶ ପାଇଁ ଜାତି ପାଇଁ ଗଲେ ପଛେ ଏ ଜୀବନ ଯାଉ ।

 

ଆଖିର ପଲକେ ସବୁ ଶେଷ ହେଲା, ସୂର୍ଯ୍ୟ ହେଲେ ଅସ୍ତ,

ବହୁ ସୂର୍ଯ୍ୟ ରଶ୍ମି କିନ୍ତୁ ଦୂରକଲା ଅନ୍ଧାର ସମସ୍ତ ।

 

ସାହସର ନିଆଁ ଜାଳି ମଲେ ସିନା ସୂର୍ଯ୍ୟସେନ ବୀର,

ସେ ନିଆଁର ନୂଆଁ ତେଜେ ସରକାର ହୋଇଲେ ଅଧୀର ।

***

 

ଲାଲା ଲଜପତ ରାୟ

 

ପଞ୍ଜାବ କେଶରୀ ଥାଉଁ ଥାଉଁ ଦେଶେ ଶୃଗାଳକି ଯିବ ପଶି,

ଆଖି ଆଗେ ସବୁ ଲୁଟି ଖାଇଯିବେ କେଶରୀକି ଥିବ ବସି ?

 

ବିଦେଶରୁ ଦେଶେ ଗୋଡ଼ ଦେଉଁ ଦେଉଁ ଶୁଣିଲେ ଦେଶର ଦଶା,

ଗୋରା ସରକାର ଏ ଦେଶ ପୁଅଙ୍କୁ ଭାବିଛି ମାଛି ମଶା ।

 

କା’ ପିଠିରେ ଲାଠି, ଚାପି କାର ପାଟି ଦେଖାଉଛି ଗୋଳା ଗୁଳି,

ଦେଶ ଚାରିଆଡ଼େ ଜଳିଲା ନିଆଁର ଶିଖା ଯାଉଅଛି ଜଳି ।

 

ବଙ୍ଗ ଦେଶେ ବହୁ ନେତା ସଙ୍ଗ ହୋଇ ମାତିଛନ୍ତି ଦେଶ ପାଇଁ,

ସୀମାଚଳଠାରୁ ହିମାଚଳ ଯାଏ କା’ ମନରେ ସୁଖ ନାଇଁ ।

 

ରାଜୁତି କରୁଛି ଫିରଙ୍ଗି ଶାସକ ଆକାଶେ ଉଡ଼ାଇ ଧ୍ଵଜା,

ଘର କୋଣେ କାହିଁ ଭୋକ ଉପାସରେ ମରଇ ପୁଅ ପରଜା ।

 

ଏ ଦେଶ ରକତ ଶୋଷି ନେଉଅଛି ସାଜୁଆଛି ନିଜ ବେଶ,

କେତେକାଳ ଆଉ ସହିବେ ଏ ଲୋକେ ? ଏ ଦଶାର କେବେ ଶେଷ ?

 

 

 

ମାତି ମତାଇଲେ ଏ ଦେଶର ନେତା ଗାଆଁ ଗାଆଁ ବୁଲି ବୁଲି,

କାହିଁ ଲୁହ, କାହିଁ ଲହୁ ଝରିଗଲା, ପାରିବାକି ତାହା ଭୁଲି ?

 

ଲାଲାଜି ଫେରିଲେ ଦୂର ବିଦେଶରୁ ଏଇ ଦେଶେ ଦେଲେ ପାଦ,

ଦେଖି ଦେଶ ଦଶା ମନେ ମନେ ସିଏ ହେତୁ କଲେ ପରମାଦ ।

 

ବୁଝାଇଲେ ବସି ଏ ଦେଶବାସୀଙ୍କୁ କହିଲେ ମନର କଥା,

ମଥା ନଇଁ ବସି ରହିଥିଲେ କିବା ଦୂର ହେବ ବୁକୁ ବ୍ୟଥା ।

 

ଉଠ, ଭାଇ ଉଠ, ଲାଗିପଡ଼ କାମେ–ନିଜ ଦେଶ ହାତେ ଆଣ,

ଆମେ ସେଇ ଗୁରୁ ଗୋବିନ୍ଦ ଦେଶର ଭୂଲିବାକି ଟାଣ ପଣ ।

 

ଲାଲାଜି ମାତିଲେ ଦେଶସାରା ବୁଲି ବରିଲେ କାରା କଷଣ,

ସହିଗଲେ ସବୁ ଆମ ତୁମ ପାଇଁ ଗୁଳି ଲାଠି ଧରଷଣ ।

 

କେଶରୀ ଶିଶୁତ ଅବିରତ କହେ ଖାଇଲ ଚାପୁଡ଼ା ମାଡ଼,

କିପରି ସହନ୍ତା ବିଦେଶୀ ଭାଙ୍ଗିଲେ ଏ ଦେଶର ମେରୁ ହାଡ଼ ?

 

ଲାଲାଜୀ ନାହାନ୍ତି-ଦେଶ ସୁଆଧୀନ-ଆମେତ ଆମରି ରାଜା,

ସୁଖ ଶିରି ସବୁ ଫେରି ପାଇଅଛୁ ସୁଖୀ ସକଳ ପରଜା ।

 

ତଥାପିତ ଆଜି ହେଜିବାକୁ ହେବ-ପାଶୋରିବା ଆମେ କିଆଁ,

ଲାଲାଜୀ ଛାତିରେ ଥିଲା ସତେ କେତେ ସାହସର ରଡ଼ ନିଆଁ ।

***

 

ଯତୀନ ସେନ୍

 

ତୋ ପାଇଁ ମୋ ଘରେ ତିଳେ ଥାନ ନାଇଁ ଯାଆ ଯେଉଁଠାକୁ ଯିବୁ,

ପିତା ଦେଲେ ବଡ଼ କଠୋର ଆଦେଶ ଯଦି ତୁ ପଢ଼ା ଛାଡ଼ିବୁ ।

 

ସେଆଡ଼େ ଶୁଭୁଛି ଜାତି ପିତା ଡାକ ଏଆଡ଼େ ବାପର ରଡ଼ି,

କେତେ କଣ ଘଟି ଏଇ ଦେଶ ସାରା ବଦଳୁଛି ଘଡ଼ି ଘଡ଼ି ।

 

ଆପଣା ଜୀବିକା ପଛରେ ପକାଇ ଦେଶ ବନ୍ଧୁ ଚିତ ଦାସ,

ବାପୁଜୀର ଡାକ ଶୁଣି ଆଗେଇଲେ, ବରି ବହୁ କାରାବାସ ।

 

ନେତାଜୀ ଛାଡ଼ିଲେ ସାହେବ ପଦବୀ – ଜାଳିଲେ ଦେଶରେ ନିଆଁ,

ଯତୀନ ଭାବିଲେ କି କରିବେ ବସି ପାଠ ପଢ଼ି ହେବ କିଆଁ ?

 

ଜନନୀ ଜନକ ପରିହାର କରି ମିଶିଲେ ‘ଅସହଯୋଗେ”,

ଦେଶ ସଢ଼ୁଥିବ ଦାରୁଣ ଦଶାରେ ସେ କିବା ରହିବେ ଭୋଗେ ।

 

ଓଳିଏ ଖାଇ ସେ ଓଳିଏ ରହିଲେ ନିରିଜଳ ଉପବାସେ,

ଗୋରା ଜାତିଟାକୁ ଦେଶୁ ତଡ଼ିବାକୁ ଲଢ଼ିଲେ ବହୁ ସାହସେ ।

 

 

 

ସରକାର ଜାଣି ପୁରାଇଲେ ନେଇ କାରାଗାରେ ଲାହୋରର,

ଶାସକ ବିରୁଦ୍ଧେ ଶାସିତ ଲଢ଼ିଲେ କରିପାରଇ କି ଘର ?

 

ସରକାର ଦେଲେ ବହୁତ କଷଣ, ସହିପାରିଲେନି ଯତି,

କେତେ କାଳ ବସି ବିଜନ କାରାରେ ସହିବେ ସକଳ କ୍ଷତି ।

 

ଶୁଣାଇଁ ଦେଲେ ସେ ସାହସ ସହିତ ଛୁଇଁବେନି ଅନ୍ନ ଜଳ,

କଷଣ ଦେଇ କି ସରକାର କେବେ ଭାଙ୍ଗିଦେବ ଦେଶ ବଳ ।

 

ଯେତେ କାଳଯାଏ ସରକାର ବୁଝିପାରିବେନି ନିଜ ଦୋଷ,

ସେତେ କାଳଯାଏ ଯତୀନ ଜୀବନେ ଆସିବନି ଭୋକ ଶୋଷ ।

 

ଦିନେ ଦୁଇଦିନ ପରେ, ଟୋକାଟାର ମନେ ପଡ଼ିଯିବ ବୋଲି,

ସରକାର କିଛି କଥା ନ ଶୁଣିଲେ କମ୍ପିଲା ଶାସନ ଦୋଳି ।

 

ବାଷଠି ଦିବସ ଅନାହାରେ ରହି ଯତୀନ ଛାଡ଼ିଲେ ପ୍ରାଣ,

ସରକାର ବସି ଚମକି ପଡ଼ିଲେ ଦେଖି ଦେଶ ପୁଅ ଟାଣ ।

 

ସତକୁ ସତତ ଯୁବକ ଟୋକାଟା ଆପଣାକୁ କରି ଦାନ,

କିସ ନ କରିଛି, ଭୁଲିହୁଏ ନାଇଁ, ରଖିବାକୁ ଦେଶ ମାନ ।

***

 

ରାଜଗୋପାଳା ଚାରୀ

 

ଯାର ଦରଶନ ପାଇବା ପାଇଁକି ଲୋକାରଣ୍ୟ ଥିଲା ବାଟ,

ସର-ବେସରବା ଏ ଦେଶେ ଥିଲେ ସେ ଭାରତର ବଡ଼ଲାଟ ।

 

ସାତ ସମୁଦର ଦରିଆ ପାରିରେ ରହୁଥିଲେ ଗୋରା ରାଜା,

ତାଙ୍କରି ଆଦେଶେ ବଡ଼ଲାଟ ରହି ପାଳିଲେ ଦେଶ ପରଜା ।

 

ଭାରତର କୋଟି କୋଟି ନର ନାରୀ ଯା’ କରୁଣା କଣୀ ପାଇଁ,

ହାତ ପାତୁଥିଲେ ଆତୁର ନୟନେ ଆଜି ସିଏ ଆଉ ନାହିଁ ।

 

ବଡ଼ଲାଟ ଗଲେ ଦୂର ବିଦେଶର ଏ ଦେଶର ବଡ଼ଲାଟ,

ଗାଦିରେ ବସିଲେ ଦେଶ ଶାସିବାକୁ ସୁଖେ ଲୋକେ କଲେ ନାଟ ।

 

ଶତ ଶତ ରାଜା ଯା ପାଖରେ ଯାଇ କହୁଛନ୍ତି ହାଁଜି ହାଁଜି,

ସେହିଥିଲେ ଦିନେ ଦେଶ ବଡ଼ଲାଟ–ରାଜ ଗୋପାଳ-ରାଜାଜୀ ।

 

ବାପ ମାଆଙ୍କର କୋଡ଼ପୁଛା ପୁଅ ଆଦରର ଗଣ୍ଠି ଧନ,

ମାଆକି ଜାଣିବା ଅଦୂର ଆଗରେ କି ହେବ ପୁଅର ମନ ।

 

 

 

ପିଇଗଲେ ପାଠ ଖାଇଗଲେ ଗୀତ କଲେ ବହୁ ରୋଜଗାର,

ମନ ମାନିଲାନି ହେବାପାଇଁ ଧନୀ ଧନ ରଖି ଅସୁମାର ।

 

କୂଳରୀତି କୂଳ ଧରମକୁ ରଖି ମାନିଲେନି ଜାତି ଭେଦ,

ମୋଚିଠାରୁ ଲୋଚି ଖାଇବାରେ ମନା କରିନାଇଁ ଆମ ବେଦ ।

 

ସଭିଏଁ ସମାନ ମଣିଷତ ଭାଇ କିଆଁ ଏତେ ଭେଦ ଭାବ,

ମୋଚି ହାତେ ଯୋଚି ଅମୋଚିର ହାତ ଦେଲେ ନିଜ ପାଖେ ଠାବ ।

 

ମଣି କାଞ୍ଚନର ସଂଯୋଗ ଘଟିଲା-ବାପୁ ରାଜାଜୀଙ୍କୁ ଦେଖ,

ରାଜାଜୀ ପୂଜିଲେ ବାପୁଜୀ ଚରଣ ଦେଇ ଜୀବନର ଲେଖ ।

 

ବାପୁ ଆଦରଶ ଅନୁସରି ସିଏ ମିଶିଲେ ଅସହଯୋଗେ,

ଆମ ଦେଶ ଲୋକେ ତୁମ ଆସନରେ ରହିବେକି ଦୁଃଖ ରୋଗେ ।

 

ବହୁବାର ଭୋଗି କାରାଗାର ଦଣ୍ଡ ଛାତିକୁ କରିଲେ ଟାଣ,

ଗୋରା ସରକାର ଧରିନେଇ ବହୁବାର ଦେଲା ଅପମାନ ।

 

ଦେଶ ମାଆ ଡାକ ଶୁଣିଥିଲେ ରାଜା ପରଜାର ହିତ ପାଇଁ,

ଜୀବନରେ ପଣ କରି ଲଢ଼ିଲେ ସେ ମନାତ ମାନିଲେ ନାଇଁ ।

 

ହାତ ମୁଠାକର ଶୁରା ସେ ଦେହରେ ଥିଲା ଶତ ସିଂହ ବଳ,

ଛାତିଟାରେ ହାତୀ ପରାକ୍ରମ ଥିଲା ବୁଦ୍ଧିତ ଥିଲା ପ୍ରବଳ ।

***

 

ନୀଳକଣ୍ଠ ଦାସ

 

ଚିହ୍ନିଛକି ତୁମେ ସବୁ କିଏ ସେଇ ଦାଢ଼ି ଥିବା ବୁଢ଼ା,

ବଢ଼ି ଓ ମରୁଡ଼ି ବେଳେ ବାଣ୍ଟୁଥିଲା ଚାଉଳ ଓ ଚୂଡ଼ା ।

 

ଗୋପବନ୍ଧୁ ବନ୍ଧୁ ରୂପେ କରିଛି ଯେ, ଦେଶ ପାଇଁ କାମ,

ଶୁଣିବକି ସେଇ ଶାନ୍ତ ତେଜୋଦୀପ୍ତ ପଣ୍ଡିତର ନାମ ?

 

ଜନମିଲେ ପୁରୀ ଜିଲ୍ଲା ଶସ୍ୟ ଶ୍ୟାମ ରାମଚନ୍ଦ୍ର ପୁରେ,

ଅଠରଶ’ ଚଉରାଶି ଅଗଷ୍ଟର ଚାରି ତାରିଖରେ ।

 

ଆନନ୍ଦ ଓ ହାରା ଦେବୀ ପୁଅ ପାଇଁ ହେଲେ ବଡ଼ ଖୁସି,

ବଢ଼ିଲା ଅଦରେ ଶିଶୁ ଯେପରିକି ଶୁକ୍ଳପକ୍ଷ ଶଶି ।

 

ପିଇଗଲା ସବୁ ପାଠ ଶୁଣି ଲୋକେ ହେଲେ ଆଚମ୍ବିତ,

ଗୁଣ ଜ୍ଞାନ ଜାଣିଯାର ଦେଶ ଲୋକେ କହିଲେ ପଣ୍ଡିତ ।

 

ବ୍ୟାକୁଳ ବକୁଳ ବନ ଡାକଦେଲା ବେନି ହାତଠାରି,

‘ସତ୍ୟବାଦୀ’ ସତ୍ୟ ପଥେ ଆଗେଇଲେ ସତ୍ୟ ସମୁଚାର ।

 

 

 

ଗଢ଼ିବାକୁ ଏଇ ଦେଶ କୋଟି ପ୍ରାଣ ଭରିବାକୁ ବଳ,

ଗୋଦାବରୀ ନୀଳକଣ୍ଠ ଆଉ କେତେ ଯୁବକ ସକଳ ।

 

ଗୋପବନ୍ଧୁ ଦାସଙ୍କର ନିର୍ଦ୍ଦେଶିତ ପଥ ଅନୁସରି,

ଶିକ୍ଷକତା ପୂଣ୍ୟ କର୍ମ ସଂପାଦିଲେ ଦିବସ ଶର୍ବରୀ ।

 

ବୁଝିଥିଲେ ଭଲ ରୂପେ ଆଗେଇବ ଏ ଦେଶ ଜନତା,

ଯେତେବେଳେ ଦୂରହବ ତା ମନରୁ ଅଜ୍ଞାନ ଜଡ଼ତା ।

 

ପୁନିଲାର ପବିତ୍ର କୋଣେ ସେଥିପାଇଁ ରଚିଲେ ସାଧନା,

ଉଚ୍ଚ ଆଶା ଅର୍ଥ ଲୋଭ ସବୁକିଛି କରିଦେଲେ ମନା ।

 

ସିଂହ ଶିଶୁ ଲୁଚିଲେକି ଜନାରଣ୍ୟ ଅରଣ୍ୟ ଅନ୍ଧାରେ,

ଅଥବା ପଡ଼ିଲେ ଧରା ରହିଲେକି ଆବଦ୍ଧ ବନ୍ଧାରେ ।

 

ସିଏକି ରହିବ ଲୁଚି ପୁଣି ମେଘ ଗୁରୁ ଗରଜନ,

ସେଇ ରୂପେ ନୀଳକଣ୍ଠ ମୁକ୍ତ କଣ୍ଠେ କଲେ ଉଚାରଣ ।

 

ସେଇ ବାଣୀ, ଯେଉଁ ବାଣୀ ଉଚାରିଲେ ଏ ଜାତିର ପିତା,

ବିପ୍ଲବ ନିଆଁରେ ଡେଇଁ ଜାଳିଗଲେ ଜୀବନର ଚିତା ।

 

ବହୁବାର କାରାଗାରେ ବିତାଇଲେ ଆପଣ ଜୀବନ,

ଛିନ୍ନଶତ ଜୀବନକୁ କରିବାକୁ ଏକତ୍ର ସୀବନ ।

 

ଦେଶ ପାଇଁ ଜାତି ପାଇଁ ଯା’ ଛାତିରେ ଅସୀମ ସାହସ,

ଏ ଦେଶର ସୁତ ସିଏ ସୌମ୍ୟ ଶାନ୍ତ ନୀଳକଣ୍ଠ ଦାସ ।

***

 

ସର୍ବପଲ୍ଲୀ ରାଧାକୃଷ୍ଣନ୍

 

ଜ୍ଞାନୀ ହାତେ ଯେବେ ଶାସନ ଦଣ୍ଡ ରହିବ ଏ ଧରା ତଳେ,

ସେଦିନ ଦେଖିବ ଏ ଧୂଳି ଧରଣୀ ସୁନା ହେବ ବଳେ ବଳେ ।

 

ଏଇ ମହାବାଣୀ ବାଣୀରେ ହଁ ଚାହିଁ ଚାହିଁ କାଳ କାଳ,

ସତ ହେଲା ଆଜି ସେଇ ମହାବାଣୀ ଦେଖାଇ ତା’ ନିଜ ବଳ ।

 

ଜ୍ଞାନୀ ହାତେ ଶାସନ ଦଣ୍ଡ ଆମ ଏଇ ଦେଶ ବାସୀ,

ବହୁ ଯୁଗର ସେ ଶାସକ ଗରବ ଗଉରବେ ଦେଲେ ନାଶି ।

 

ରୂପା ତାଟିଆରେ ଜାମୁକୋଳି ଖାଇବାର ଯେଉଁ ଥିଲା ରୀତି,

ଶାସକର ପାଇଁ ଶାସିତର ମନେଥିଲା ଯେଉଁ ଭୟ ଭୀତି ।

 

ଯୁଗ ଯୁଗ ଧରି ମଣିଷ ଯେଉଁଠି ବିବେକର କରେ ନାଶ,

ସେଇଠି ଆଜିତ ବିବେକୀ ବସିଛି ବିତରିବ ନିଜ ବାସ ।

 

ସବୁ ପଲ୍ଲୀରେ ‘ସରବ ପଲ୍ଲୀ’ ଗୁଣ ଗୁଣି ଲୋକ ଆଜି,

ଅଶେଷ ଆଦରେ ବରି ନେଉଛନ୍ତି ଭକତିରେ ମନ ମାଜି ।

 

 

 

ଦାରୁଣ ବିପଦେ ଶୁଭ ଦରଶନେ ସୁଧୁରିବ ଦେଶ ଦଶା,

ମଣିଷ ଜୀବନେ ଦେଖାଦେବ ଆସି ନୂଆଁ ନୂଆଁ ବହୁ ଆଶା ।

 

କେଉଁ ଘର କୋଣେ ଜନମି ସେ ଆଜି ଦେଖିଲେ ଜଗତ ସାରା,

ତାଙ୍କରି କରୁଣା କଣୀ ପାଇବାକୁ ଉଦ୍‍ବେଗ ଆଜି ଏ ଧରା ।

 

‘ଭାରତର ସିଏ ରତନ’ ବିଶୁଦ୍ଧ ବିବେକର ସୁନା ଖଣି,

ଉଜଳି ଉଠିବ ଏଇ ଦେଶସାରା ଦେଶ-ମାଆ ମଥା ମଣି ।

 

ରାଧାକୃଷ୍ଣଙ୍କ ଏକ ରୂପ ଧରି ଆସିଲେ ଏ ଧରା ତଳେ,

ଆପଣା ଧରମ ଗୁଣ ଗଉରବ ବିତରିବାକୁ ସକାଳେ ।

 

ଜାତିର ଜୀବନେ ଧରମ ବିନ୍ଦୁ ଯେତେଦିନ ଯାଏ ଥିବ,

ଜୀବନର ସେଇ ପରମ ସତ୍ୟ ଜୀବନୁ କେବେ ନ ଯିବ ।

 

ଜୀବନର ସାରା ଦେଶ ଜାତି ପାଇଁ କଲା ଯେଉଁ ଲୋକ କାମ,

ଦେଶ ଗଉରବ ଜାତି ସନମାନ ବଢ଼ାଇବ ତା’ର ନାମ ।

***

 

କଂଗ୍ରେସ୍

 

ହେ ସକଳ ଭଗୀରଥ, ଅଭିମନ୍ୟୁ ଏ ମହା ଜାତିର,

ଆହେ ଆର୍ଯ୍ୟ, ଦ୍ରୋଣାଚାର୍ଯ୍ୟ, ମୁକ୍ତି-ଶିଖା ତମିସ୍ର ରାତିର ।

 

ଜନତାର ପ୍ରତିନିଧି, ଜନନୀର କ୍ରାନ୍ତିକାରୀ ସୁତ,

ହେ ଦୁର୍ବାର ବାର୍ତ୍ତାବହ, ପ୍ରଗତି ଓ ମୁକ୍ତି ଅଗ୍ରଦୂତ ।

 

ଆନନ୍ଦ ନନ୍ଦିତ କଲ, ଏ ଜାତିର ଜୟଯାତ୍ରା ପଥ,

ସଫଳ କରିଛ ବନ୍ଧୁ ସମୁଚାରି ସକ୍ରିୟ ଶପଥ ।

 

ତୁମେହିଁ ଶାନ୍ତିର ଧ୍ୱନି ଅଶାନ୍ତ ଏ ନିରାଳ ବିଶ୍ୱର,

ତୁମେହିଁ ପରମ ବନ୍ଧୁ ନିରାଶ୍ରୟୀ ନିରନ୍ନ ନିସ୍ଵର ।

 

ସୃଷ୍ଟିକରି ଶୁଭ ଲଗ୍ନେ ଅଗଣିତ ନେହେରୁ ଓ ଗାନ୍ଧୀ,

ଗୋଟିଏ ପିଣ୍ଡରେ ଦେଲ କୋଟି ପ୍ରାଣ ସ୍ଵଯତନେ ବାନ୍ଧି ।

 

ଅହିଂସାର ସତ୍ୟାଗ୍ରହେ ଶାନ୍ତି ମନ୍ତ୍ର ସଦା ସମୁଚାରି,

ସକଳ ବନ୍ଧନ ବାଧା ଡେଇଁ ହେଲ ସତ୍ୟ-ପଥଚାରି ।

 

 

 

ହେ କଂଗ୍ରେସ ଇତିବୃତ୍ତେ ଲେଖୁଛ ଯେ ନିର୍ଭୁଲ ଭୂମିକା,

ଆଜି ଏଇ ଶୁଭ ଲଗ୍ନେ ପଢ଼ିବା ସେ ସ୍ମୃତି-ସ୍ମରଣିକା ।

***

 

ଆଜିର ଆହ୍ଵାନ

 

ଶୁଣ ଆଜି ତୁର୍ଯ୍ୟନାଦ ବୀର୍ଯ୍ୟବାନ ଯୁବକ ଦୁର୍ବାର,

ଉଚ୍ଚାରୁ ଅୟୁତ କଣ୍ଠ ଅଗ୍ନିବାହୀ ଆହବ-ହୁଂକାର ।

 

ସୀମାଚଳୁ ହିମାଚଳ ମୁଖରିତ ହେଉ ସମସ୍ଵର,

ମାର କିମ୍ବା ମର ହେଉ ଏହା ଆମ ଆତ୍ମ ଅଙ୍ଗୀକାର ।

 

ବିପନ୍ନ ହିମାଦ୍ରି-ଆଜି, ଅତିକ୍ରାନ୍ତ-ବର୍ବର ଅରାତି,

ସକଳ ସୁପ୍ତ ସିଂହ, ସୁରବୈରୀ, ଦୁର୍ଦ୍ଦମ ମାରୁତି ।

 

ଜାଗ, ଉଠ ବୀର ଦର୍ପେ ହେଉ ସ୍ଫିତ ଅଙ୍ଗ ଉତ୍ତମାଙ୍ଗ,

ଶୋଣିତର ଶାନ୍ତ ସ୍ରୋତେ ଉଦ୍ଦେଳିତ ଆଗ୍ନେୟ ତରଙ୍ଗ ।

 

ପ୍ରଚଣ୍ଡେ ରୋଧିବା ଆସ ଚଣ୍ଡ ସେଇ ସୈନିକ ପାଷାଣ୍ଡ,

ଶିବ ଶକ୍ତି ଶକ୍ତ କରି ଶତ୍ରୁ ଶିର କରିବା ଦିଖଣ୍ଡ ।

 

ବିହରି ସଂବେଶ ଆଜି ନମନୀୟ ନକରି ସଂରମ୍ଭ,

ସୀମାନ୍ତ ସଂଗ୍ରାମେ ଆସ ଆହେ ବୀର ନ ହରାଇ ଦମ୍ଭ ।

 

 

 

କୋଟି କର୍ଣ୍ଣେ ଏ ଜାତିର ଆନ୍ଦୋଳିତ ଆଜିର ଆହ୍ଵାନ,

ହେ ଉଦାତ୍ତ, ସମୁଦ୍ଧତ, ଉତ୍ତିଷ୍ଠ ହେ ଭାରତ ଯବାନ୍ ।

***

 

ଗୁଡ଼ୁମ୍ ଗୁଡ଼ୁମ୍ ଗର୍ଜି ଉଠୁ

 

ସୁନାର ଗୁଳି ଉଛୁଳିପଡ଼ୁ, ଲୁହାର ଗୁଳି ଛୁଟୁ ।

ଗୁଡ଼ୁମ୍ ଗୁଡ଼ୁମ୍ ଗର୍ଜିଉଠୁ, ବଜ୍ର ବାଣ ଫୁଟୁ ॥

 

ରକ୍ଷା ପାଇଁ ରକ୍ତ ଝରୁ, ଦର୍ପେ ଦେଶ ଭକ୍ତ ମରୁ ।

ଅରାତି ଛାତି କରତେ କାଟି, ଶତ୍ରୁ -ପ୍ରାଣ ଲୁଟୁ ॥

 

ଶତ୍ରୁ, ଭାବେ ଶକ୍ତି ନାଇଁ, ଏ ଦେଶ ପ୍ରାଣେ ଭକ୍ତି କାହିଁ ।

ଦେଖୁ ସେ ଆଜି ଶତ୍ରୁ ପାଜି,ଏ ଦେଶ ଆର ପଟୁ ॥

 

ଆସହେ ଆଜି ଆସହେ ଘରୁ, ଗୋଟିକ ପରେ କୋଟିଏ ମରୁ ।

ଗର୍ବେ ଗାଇ ଏ ଦେଶ ଭାଇ-,ଦେଶ ସୀମାରେ ଯୁଟୁ ॥

 

ଭଉଣୀ ଦେଉ କଣ୍ଠ ହାର, ଜନନୀ ଦେଉ ପୁତ୍ର ତାର ।

ରକ୍ତ ଦେଇ ଭକ୍ତ କେହି, ରୋଗୀ ବି ଶେଯୁ ଉଠୁ ॥

 

ଟଙ୍କା ସୁନା ବିଛେଇ ପଡ଼ୁ, ମାଆ ଭଉଣୀ ସୁନାର ଖଡ଼ୁ ।

ଦିଅଗୋ କାଢ଼ି ମମତା ଛାଡ଼ି, ଏ ଦେହ ହେଉ ପଟୁ ॥

 

 

 

ଦୁର୍ବାର ଏ ହିନ୍ଦୁ ହେଉ, ଦେହରୁ ଶେଷ ବିନ୍ଦୁ ଦେଉ ।

କେତେବା ଆଉ ସହିବା ଦାଉ, ଶତ୍ରୁ ହେଲା କଟୁ ॥

 

ପଶୁଛି ଚୀନ, ଡରିବା କିଆଁ, ଦେଶ ସୀମାରେ ଜାଳୁଛି ନିଆଁ ।

ଦେହୁ ନିଗିଡ଼ା ରକତ ନେଇ , ସେ ନିଆଁ ଦେହେ ଛୁଟୁ,ବଜ୍ର ବାଣ ଫୁଟୁ ।।

***